ରେଖା ଗୁପ୍ତା କିଏ? ଯିଏ ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କିପରି ଥିଲା ତାଙ୍କ ରାଜନୈତିକ କ୍ୟାରିୟର

ରେଖା ଗୁପ୍ତା ଶାଲୀମାରର ବିଧାୟିକା। ସେ ଆମ ଆଦମୀ ପାର୍ଟୀର ବନ୍ଦନା କୁମାରୀଙ୍କୁ ୨୯ ହଜାର ୫୯୫ ଭୋଟରେ ପରାଜୟ କରି ବିଜୟୀ ହୋଇଛନ୍ତି।

ନୂଆଦିଲ୍ଲୀ: ରେଖା ଗୁପ୍ତା ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ରେଖା ଗୁପ୍ତା ଶାଲୀମାର ବାଗ ଆସନରୁ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି। ନୂଆ ଦିଲ୍ଲୀ ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇଥିବା ପ୍ରବେଶ ବର୍ମା ଉପମୁଖ୍ୟମନ୍ତ୍ରୀ ହେବେ।

ବିଧାନସଭା ନିର୍ବାଚନରେ ବିଜେପି ବଡ଼ ବିଜୟ ହାସଲ କରିଛି ଏବଂ ପାର୍ଟୀର ୨୭ ବର୍ଷ ବନବାସ ଦିଲ୍ଲୀରେ ଶେଷ ହୋଇଛି। ୭୦ଟି ଆସନରୁ ବିଧାନସଭାରେ ବିଜେପିକୁ ୪୮ଟି, ଆମ୍ ଆଦମୀ ପାର୍ଟୀକୁ ୨୨ଟି ସିଟ ମିଳିଛି। ଏଥର କଂଗ୍ରେସ ଦିଲ୍ଲୀରେ ନିଜର ଖାତା ଖୋଲିପାରିନି।

ଶାଲୀମାର ବାଗର ବିଧାୟିକା ରେଖା ଗୁପ୍ତା: ରେଖା ଗୁପ୍ତା ପ୍ରଥମଥର ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି। ସେ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟୀର ପ୍ରାର୍ଥୀ ବନ୍ଦନା କୁମାରୀଙ୍କୁ ୨୯ ହଜାର ୫୯୫ ଭୋଟରେ ହରାଇଛନ୍ତି।

ରେଖା ଗୁପ୍ତା ପିଲାଟି ବେଳୁ ଜାତୀୟ ସ୍ୱୟଂ ସେବକ ସଂଘର ସକ୍ରିୟ ସଦସ୍ୟ। ସଂଘର ଛାତ୍ର ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଜରିଆରେ ସେ ଛାତ୍ର ରାଜନୀତିରେ ପ୍ରବେଶ କରିଥିଲେ।

୧୯୯୪-୯୫ରେ ସେ ଦୌଲତ ରାମ କଲେଜରେ ସଚିବ ହୋଇଥିଲେ। ୧୯୯୫-୯୬ରେ ସେ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ଅଧ୍ୟକ୍ଷ ହୋଇଥିଲେ। ୧୯୯୬-୯୭ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ଅଧ୍ୟକ୍ଷ ହୋଇଥିଲେ।

ବିଜେପିର ଅନେକ ପଦରେ ରହିଥିଲେ ରେଖା: ରେଖା ଗୁପ୍ତା ୨୦୦୩-୨୦୦୪ ପର୍ଯ୍ୟନ୍ତ ବିଜେପି ଯୁବା ମୋର୍ଚ୍ଚା ଦିଲ୍ଲୀରେ ସଚିବ ପଦରେ ରହିଥିଲେ। ୨୦୦୪-୨୦୦୬ରେ ସେ ଯୁବା ମୋର୍ଚ୍ଚାର ଜାତୀୟ ସଚିବ ହୋଇଥିଲେ। ଏପ୍ରିଲ ୨୦୦୭ରେ ଉତ୍ତର ପୀତମପୁରା ବୋର୍ଡରୁ ବିଜେପିର ଟିକେଟରେ କାଉନସିଲର ହୋଇଥିଲେ।

ନଗର ନିଗମରେ କାଉନସିଲର ହେବା ପରେ ସେ ୨୦୦୭-୨୦୦୯ ପର୍ଯ୍ୟନ୍ତ ମହିଳା କଲ୍ୟାଣ ଏବଂ ବାଲ ବିକାଶ ସମିତିର ଅଧ୍ୟକ୍ଷ ଭାବେ ସେ ଦାୟିତ୍ୱ ଗ୍ରହଣ କରିଥିଲେ। ମାର୍ଚ୍ଚ ୨୦୧୦ରେ ସେ ବିଜେପିରେ ଜାତୀୟ କାର୍ଯ୍ୟକାରିଣୀର ସଦସ୍ୟ ହୋଇଥିଲେ।

ଏହି ସମୟରେ ତାଙ୍କୁ ବିଜେପି ମହିଳା ମୋର୍ଚ୍ଚାର ଜାତୀୟ ଉପାଧ୍ୟକ୍ଷ କରାଯାଇଥିଲା। ସେ ସାଲିମାର ବାଗ ବୋର୍ଡର କାଉନସିଲର ମଧ୍ୟ ରହିଛନ୍ତି।

ରେଖା ଗୁପ୍ତା ୨୦୧୫ ଏବଂ ୨୦୨୦ରେ ବିଧାନସଭା ନିର୍ବାଚନରେ ଶାଲୀମାର ବାଗ ଆସନରୁ ପରାଜୟର ଶିକାର ହୋଇଥିଲେ। ୨୦୧୫ରେ ତାଙ୍କୁ ହାରାହାରି ୧୧,୦୦୦ ଭୋଟରେ ବନ୍ଦନା କୁମାରୀ ହରାଇଥିଲେ।

୨୦୨୦ରେ ତାଙ୍କ ପରାଜୟର ଅନ୍ତର ୩ ହଜାର ୪୪୦ ଭୋଟ ଥିଲା। ହେଲେ ଚଳିତ ନିର୍ବାଚନରେ ରେଖା ଗୁପ୍ତା ବନ୍ଦନା କୁମାରୀଙ୍କୁ ବହୁମତରେ ପରାଜୟ କରିଛନ୍ତି।

ରେଖାଙ୍କ ଜୀବନୀ: ରେଖା ଗୁପ୍ତା ପ୍ରକୃତରେ ହରିୟାଣାର ନିବାସୀ। ସେ ଜୁଲାନା ଅଞ୍ଚଳର ଅଟନ୍ତି। ଏଠାରେ ତାଙ୍କ ଦାଦା ମନିରାମ ଏବଂ ପରିବାରର ଅନ୍ୟ ଲୋକେ ରହୁଥିଲେ। ରେଖାଙ୍କ ବାପା ଜୟଭଗବାନଙ୍କ ଚାକିରି ଦିଲ୍ଲୀରେ ଥିଲା।

ସେଥିପାଇଁ ତାଙ୍କର ପୁରା ପରିବାର ଦିଲ୍ଲୀକୁ ଆସିଥିଲେ। ରେଖା ଗୁପ୍ତାଙ୍କ ପାଠପଢା ସ୍କୁଲ ଠାରୁ ଗ୍ରାଜୁଏସନ ପର୍ଯ୍ୟନ୍ତ ଦିଲ୍ଲୀରେ ହିଁ ହୋଇଛି। ରେଖା ଗୁପ୍ତା ୧୯୯୮ ମସିହାରେ ମନୀଷ ଗୁପ୍ତାଙ୍କୁ ବିବାହ କରିଥିଲେ। ମନୀଷ ଗୁପ୍ତା ସ୍ପେୟାର ପାର୍ଟସର ବ୍ୟବସାୟ କରନ୍ତି।