fbpx

UPରେ କଂଗ୍ରେସ ୪୦୩ଟି ସିଟରୁ ମାତ୍ର ଦୁଇଟିରେ ଜିତିଲା: ପ୍ରଦେଶ ଅଧ୍ୟକ୍ଷ ହଟିଲେ, ରାଜ୍ୟ ଦାୟିତ୍ୱରେ ଥିବା ପ୍ରିୟଙ୍କା ଏବେ ଇସ୍ତଫା ଦିଅନ୍ତୁ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରବର୍ଷର ରାଜନୀତି କ୍ଷେତ୍ରରେ ସର୍ବପୂରାତନ ଦଳ କଂଗ୍ରେସର ସ୍ଥିତି ସଙ୍କଟଜନକ ସ୍ଥିତିରେ ରହିଛି । ଦିନକୁ ଦିନ ଗୋଟିଏ ପରେ ଗୋଟିଏ ରାଜ୍ୟରେ ଦଳ ପରାଜୟର ସାମ୍ନା କରୁଥିବା ବେଳେ ଏକାଧିକ ବରିଷ୍ଠ ନେତା ମଧ୍ୟ ହାତ ଛାଡ଼ି ଅନ୍ୟ ଡାଳ ଧରୁଥିବା ଦେଖାଯାଉଛି । ତେବେ ନିକଟରେ ଦେଶର ସର୍ବବୃହତ ସଂସଦୀୟ କ୍ଷେତ୍ର ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଥିଲା ।

୪୦୩ଟି ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ମାତ୍ର ୨ଟି ସିଟ୍ ଅକ୍ତିଆର କରି ନିଜର ଦୁର୍ବଳ ସ୍ଥିତିର ପରିଚୟ ପ୍ରଦାନ କରିଛି । ତେବେ ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଜୟ କୁମାର ଲଲ୍ଲୁଙ୍କୁ ଇସ୍ତଫା ଦେବାକୁ ହାଇକମାଣ୍ଡ ନିର୍ଦ୍ଦେଶ ଦେଇଥିଲେ । ତେବେ ଦଳର ପରାଜୟ ପାଇଁ ଲଲ୍ଲୁ ଏକାକୀ ଦାୟୀ ନୁହେଁ ବୋଲି ଦଳ ମଧ୍ୟରେ ବିରୋଧାଭାସ ଦେଖିବାକୁ ମିଳିଥିଲା । ୟୁପିରେ କଂଗ୍ରେସର ବିଫଳତା ପଛରେ ପ୍ରିୟଙ୍କା ଗାନ୍ଧିଙ୍କର ଦୁର୍ବଳ ରଣନୀତି ବୋଲି ଦଳ ମଧ୍ୟରେ ଚାପା ଗୁଞ୍ଜରଣ ସୃଷ୍ଟି ହେଲାଣି ।

ତେବେ ଏପରି ସ୍ଥିତିରେ ଏଆଇସିସି ସଦସ୍ୟ ଜିଶାନ ହାଇଦର ସୋନିଆଙ୍କୁ ପତ୍ର ଲେଖି କହିଛନ୍ତି ଯେ, ୟୁପିରେ କଂଗ୍ରେସର ପରାଜୟ ପାଇଁ କେବଳ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଦାୟୀ ନୁହନ୍ତି । ରାଜ୍ୟ ଦାୟିତ୍ୱରେ ଥିବା ମହାସଚିବ ପ୍ରିୟଙ୍କା ସବୁ କଥା ବୁଝୁଥିଲେ । ୟୁପିରେ ଯେବେ ବି କଂଗ୍ରେସ ହାରୁଛି ସେତେବେଳେ ପ୍ରଭାରୀ ଓ ପ୍ରଦେଶ ଅଧ୍ୟକ୍ଷଙ୍କୁ ଇସ୍ତଫା ଦେବାକୁ ପଡ଼ୁଛି । ଗତ ୨୦୧୨ ଓ ୨୦୧୭ରେ କଂଗ୍ରେସର ପରାଜୟ ପରେ ସମାନ ଘଟଣା ଦେଖିବାକୁ ମିଳିଥିଲା । ୟୁପିରେ କଂଗ୍ରେସ ପରାଜୟ ପାଇଁ ପ୍ରିୟଙ୍କା ଦାୟୀ, ତେଣୁ ସେ ପଦରୁ ଇସ୍ତଫା ଦେବା ଦରକାର । ଏହାଫଳରେ କଂଗ୍ରେସକୁ ନୂଆ ନେତୃତ୍ୱ ମିଳିବ ଓ ଦଳର ସ୍ଥିତି ସୁଧୁରିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.