fbpx

ରାଜ୍ୟସଭା ପ୍ରାର୍ଥୀ: ଅଶ୍ୱିନୀ ବୈଷ୍ଣବଙ୍କ ସ୍ଥାନରେ କାହାକୁ ସୁଯୋଗ ଦେବ ବିଜେଡି?

ଓଡ଼ିଶା ଭାସ୍କର: ଓଡ଼ିଶାର ୩ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଓ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ୍ ୩ରେ ଶେଷ ହେଉଛି। ଏହି ତିନିଟି ଆସନ ପାଇଁ ଫେବ୍ରୁଆରି ୨୭ ତାରିଖରେ ନିର୍ବାଚନ ହେବ। ତେଣୁ ବିଜେଡି ପକ୍ଷରୁ ୩ ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା ହେବାରେ ଥିଲା। କିନ୍ତୁ ବର୍ତ୍ତମାନ ବିଜେଡି ୨ ଜଣ ଅର୍ଥାତ କଟକ-ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ବିଜେଡି ଯୁବ ମୋର୍ଚ୍ଚା ଉପସଭାପତି ସୁଭାଶିଷ ଖୁଣ୍ଟିଆଙ୍କ ନାମ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଛି। ହେଲେ ତୃତୀୟ ପ୍ରାର୍ଥୀଙ୍କ ନାମକୁ ଏବେ ବି ସସ୍ପେନ୍ସରେ ରଖିଛି ବିଜେଡି। ଫଳରେ ବିଜେଡିର ତୃତୀୟ ପ୍ରାର୍ଥୀ କିଏ ହେବ ସେନେଇ ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଯାଇଛି।

ସୂଚନା ଥାଉକି, ଅମର ପଟ୍ଟନାୟକ ଓ ପ୍ରଶାନ୍ତ ନନ୍ଦ ବିଜେଡିରୁ ଏବଂ ବିଜେଡି ସମର୍ଥନରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେଡି ତିନିଟି ଯାକ ଆସନ ଦଖଲ କରିବା ଏକ ପ୍ରକାରର ନିଶ୍ଚିନ୍ତ ରହିଛି। କାରଣ ବର୍ତ୍ତମାନ ବିଧାନସଭାରେ ବିଜେଡିର ୧୦୯ ଜଣ ବିଧାୟକ ଥିଲା ବେଳେ ବିଜେପିର ୨୨, କଂଗ୍ରେସର ୯, ସିପିଆଇ(ଏମ୍)ର ଜଣେ ବିଧାୟକ ଅଛନ୍ତି। ଏହା ବାଦ୍ ୫ ଜଣ ସ୍ୱାଧୀନ ବିଧାୟକ ଅଛନ୍ତି, ଯେଉଁମାନଙ୍କ ମଧ୍ୟରେ ୪ ଜଣ ବିଜେଡିରୁ ବହିଷ୍କୃତ ହୋଇଛନ୍ତି। ସୂର୍ଯ୍ୟନାରାୟଣ ପାତ୍ରଙ୍କ ପରଲୋକ ପରେ ଗୋଟିଏ ଆସନ ଖାଲି ରହିଛି। ଏଣୁ ଅଶ୍ୱିନୀ ବୈଷ୍ଣବଙ୍କ ସ୍ଥାନରେ ବିଜେଡି ଏଥର କାହାକୁ ରାଜ୍ୟସଭା ପ୍ରାର୍ଥୀ ପାଇଁ ସୁଯୋଗ ଦେବ ତାହା ଏକ ପ୍ରତୀକ୍ଷାର ବିଷୟ ପାଲଟିଛି।

 

Get real time updates directly on you device, subscribe now.