fbpx

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଗୁଜବ ସୃଷ୍ଟି କରୁଛି କିଏ, ଏହା ଉପରୁ ପରଦା ହଟାଇଲେ ବିଜେଡି ମୁଖପାତ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିର୍ବାଚନ ଆରମ୍ଭ ହେଲେ ବିରୋଧୀମାନେ ଗୁଜବ ସୃଷ୍ଟି କରନ୍ତି । ଏହି ଗୁଜବ ସମ୍ପୂର୍ଣ୍ଣ ମିଥ୍ୟା ଅଟେ । ଓଡ଼ିଶାର ଜନସାଧାରଣଙ୍କର ସେବା କରିବା ପାଇଁ ମୁଁ ସମ୍ପୂର୍ଣ୍ଣ ଫିଟ୍ ଅଛି । ସାମ୍ବାଦିକମାନଙ୍କ ପ୍ରଶ୍ନର ଏପରି ଜବାବ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀଙ୍କୁ ଚୁପ୍ କରାଇ ଦେଇଛନ୍ତି । ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରିବା ଅବସରରେ ନବୀନ ବିରୋଧୀଙ୍କୁ ରୋକଠୋକ୍ ଶୁଣାଇ ଦେଇଛନ୍ତି । ଏଥିସହ କୋଭିଡ୍ ନିୟମକୁ ପାଳନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ବିରୋଧୀମାନେ ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ ସୃଷ୍ଟି କରିଥାନ୍ତି । ତେବେ ନିକଟରେ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତବ୍ୟ ପରେ ବିରୋଧୀମାନେ ଏବେ କ’ଣ କରିବେ? ଏଠାରେ ପ୍ରଶ୍ନ ଉଠୁଛି, କିଏ ସୃଷ୍ଟି କରୁଥିଲା ଗୁଜବ? ଏକ ବୈଦ୍ୟୁତିକ ଗଣମାଧ୍ୟମର ଏକ କାର୍ଯ୍ୟକ୍ରମରେ ଭାଗନେଇ ବିଜେଡିର ଜଣେ ମୁଖ୍ୟପାତ୍ର ଏହା ଉପରୁ ପରଦା ହଟାଇଛନ୍ତି । ସେ କହିଛନ୍ତି ଯେ, ବିଜେଡି ସୁପ୍ରିମୋଙ୍କ ବିରୋଧରେ ଗୁଜବ ସୃଷ୍ଟି ପଛରେ ଦୁଇଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ବର୍ତ୍ତମାନର ସାଂସଦ ଓ ଆଉ ଜଣେ ପୂର୍ବତନ ସାଂସଦ ।

ଗତକାଲି ମୁଖ୍ୟମନ୍ତ୍ରୀ କାରରୁ ଓହ୍ଲାଇ ସେବାୟତଙ୍କୁ ପ୍ରଣାମ ଜଣାଇ ମନ୍ଦିର ଭିତରକୁ ଯାଇଥିଲେ । ସେଠାରେ ମହାପ୍ରଭୁଙ୍କୁ ଦର୍ଶନ କରି ଜନସାଧାରଣଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ । ଗଣମାଧ୍ୟମ ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀ ହସ ହସ ମୁହଁରେ ପ୍ରତିକ୍ରିୟା ଦେବା ସହ ଉପସ୍ଥିତ ଜନତାଙ୍କ ମଧ୍ୟରେ ସ୍ନେହ ବାଣ୍ଟିଥିଲେ ।

Get real time updates directly on you device, subscribe now.