fbpx

ନିର୍ବାଚନ ପ୍ରଚାର ପାଇଁ କିଏ କରିପାରିବେ ସରକାରୀ ବିମାନର ବ୍ୟବହାର, ଜାଣନ୍ତୁ ଏହାର ନିୟମ

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ପାଇଁ ପସ୍ତୁତି ଜୋରସୋରରେ ଚାଲିଛି । ନିର୍ବାଚନ ଆୟୋଗଙ୍କ ସହ ରାଜନୈତିକ ଦଳମାନେ ମଧ୍ୟ ଲଗାତାର ନିର୍ବାଚନ ପ୍ରଚାର ଲାଗି ପସ୍ତୁତି ଚଳାଇଛନ୍ତି ।ହେଲେ ଆପଣ ଜାଣିଛନ୍ତି କି ନିର୍ବାଚନ ପ୍ରଚାର ସମୟରେ କେଉଁ ବ୍ୟକ୍ତି ସରକାରୀ ବିମାନର ବ୍ୟବହାର ନିର୍ବାଚନ ପ୍ରଚାର ଲାଗି ବ୍ୟବହାର କରିପାରିବ? ଆସନ୍ତୁ ଜାଣିବା କାହାର ଏହି ଅଧିକାର ରହିଛି ।
ନିର୍ବାଚନ ପ୍ରଚାର ଲାଗି କେବଳ ପ୍ରଧାନମନ୍ତ୍ରୀ ସରକାରୀ ବିମାନର ବ୍ୟବହାର କରିପାରିବେ । ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ କୌଣସି ନେତାଙ୍କୁ ସରକାରୀ ବିମାନ ନିର୍ବାଚନ ପ୍ରଚାର ପାଇଁ ବ୍ୟବହାର କରିବାକୁ ଦିଆଯିବନି । ବାକି ଅନ୍ୟ ପାର୍ଟୀ ଏବଂ ନେତା ନିର୍ବାଚନ ସମୟରେ ନିଜର କିମ୍ବା ଭଡା କରି ବିମାନ ବ୍ୟବହାର କରିପାରିବେ ।

ନିର୍ବାଚନ ସମୟରେ ସରକାରୀ ବିମାନର ବ୍ୟବହାର କରିବା ପଛରେ ଏକ କାହାଣୀ ରହିଛି । ସୂଚନା ମୁତାବକ ୧୯୫୨ ମସିହାର ପ୍ରଥମ ନିର୍ବାଚନକୁ ମିଶାଇ ଏପର୍ଯ୍ୟନ୍ତ ୧୭ଟି ଲୋକସଭା ନିର୍ବାଚନ ହୋଇଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ହେଉଛନ୍ତି ଏପରି ଜଣେ ବ୍ୟକ୍ତି ଯିଏ ନିର୍ବାଚନ ସମୟରେ ସରକାରୀ ବିମାନ ବ୍ୟବହାର କରି ପ୍ରଚାର କରିପାରିବେ । ୧୯୫୨ ମସିହାରେ ଦେଶର ପ୍ରଥମ ସାଧାରଣ ନିର୍ବାଚନରେ ଜବାହାରଲାଲ ନେହେରୁ ନିର୍ବାଚନ ଅଭିଯାନ ପାଇଁ ସରକାରୀ ବିମାନରେ ଯାତ୍ରା କରିବାକୁ ଚାହୁଁନଥିଲେ । ସେତେବେଳେ କଂଗ୍ରେସ ପଖେ ଏତେ ଟଙ୍କା ନଥିଲା ଯେ, ସେ ନେହେରୁଙ୍କୁ ୪ ମାସ ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାର ଲାଗି ନିଜେ ଟଙ୍କା ଖର୍ଚ୍ଚ କରି ବିମାନ ଉପଲବ୍ଧ କରାଇବା ଭଳି ସକ୍ଷମ ନଥିଲା ।

ଦୁର୍ଗାଦାସଙ୍କ ପୁସ୍ତକ ‘କର୍ଜନ ଟୁ ନେହେରୁ’ରେ ଏହି କାହାଣୀ ବିଷୟରେ ବର୍ଣ୍ଣନା କରାଯାଇଛି । ବହିରେ ଲେଖାଯାଇଛି ଯେ, ଅଡିଟର ଜେନେରାଲଙ୍କ କହିବାନୁଯାୟୀ, ପ୍ରଧାନମନ୍ତ୍ରୀଙ୍କୁ ସବୁ ସଂକଟରୁ ସୁରକ୍ଷା ଦେବା ଅତ୍ୟନ୍ତ ଆବଶ୍ୟକ । ଏହା ସେବେ ହୋଇପାରିବ ଯେତେବେଳେ ପ୍ରଧାନମନ୍ତ୍ରୀ ବିମାନରେ ଯାତ୍ରା କରିବେ । ବିମାନ ଯାତ୍ରା ସମୟରେ ଅଧିକ ସଂଖ୍ୟକ ସୁରକ୍ଷା ଷ୍ଟାଫର ଅବଶ୍ୟକ ପଡିବ ନାହିଁ, ଯାହା ରେଳରେ ଯାତ୍ରା କରିବା ସମୟରେ ପଡିବ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ରାଷ୍ଟ୍ରୀୟ ଦାୟିତ୍ୱ ଅଟେ । ଏଥିପାଇଁ ରାଷ୍ଟ୍ରକୁ ବ୍ୟୟ ମଧ୍ୟ କରିବାକୁ ପଡିବ ।

ସୂଚନାନୁଯାୟୀ, ନେହେରୁଙ୍କ ଯାତ୍ରା ପାଇଁ ସରକାର ସେତିକି ଭଡ଼ା ଦେବେ ଯେତିକି ଜଣେ ଯାତ୍ରୀ ଏୟାରଲାଇନ୍ସଙ୍କୁ ଦେବାକୁ ପଡେ । ଏଥିସହ ପ୍ରଧାନମନ୍ତ୍ରୀ ଏବଂ ନିଜ ଷ୍ଟାଫଙ୍କ ଭଡ଼ା ସରକାର ଦେବେ । ନେହେରୁଙ୍କ ପରେ ଏହି ସୁବିଧା ସମସ୍ତ ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ କୌଣସି ଖର୍ଚ୍ଚ କରିବାକୁ ପଡେ ନାହିଁ ।

Get real time updates directly on you device, subscribe now.