fbpx

ବାଲେଶ୍ୱର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ କିଏ ହେବେ: ଜଣେ ମହିଳା ପ୍ରାର୍ଥୀଙ୍କୁ ନେଇ ବଡ଼ ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ସେହିପରି ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ଏହା ମଧ୍ୟରେ ବିଜେଡି ୩ଟି ପର୍ଯ୍ୟାୟରେ ୧୦୮ଟି ବିଧାନସଭା ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ମୋଟ ୨୧ଟି ଲୋକସଭା ଆସନ ମଧ୍ୟରୁ ୨୦ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରି ସାରିଛି । ୩୯ଟି ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିନାହିଁ । ସେହିପରି କେବଳ ବାଲେଶ୍ୱର ଲୋକସଭା ଆସନ ପାଇଁ ଦଳ ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ ।

ତେବେ ବାଲେଶ୍ୱର ଆସନ ପାଇଁ ବିଜେଡି ଏଥର କାହାକୁ ପ୍ରାର୍ଥୀ ଦେବ ତାହାକୁ ନେଇ ଏବେ ବିଜେଡିର ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଏହି ଆସନର ପ୍ରାର୍ଥୀତ୍ୱକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଏହି ଆସନରେ ଦଳ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି । ଗତ ଲୋକସଭା ଆସନରେ ବିଜେଡି ୭ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏଥର ଦଳ ୩୩ ପ୍ରତିଶତ ମହିଳା ପ୍ରାର୍ଥୀଙ୍କୁ ସୁଯୋଗ ଦେବ ବୋଲି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଥିଲେ । ତେଣୁ ଏହି ଆସନରେ ଦଳ ମହିଳାଙ୍କୁ ସୁଯୋଗ ଦେବାର ସମ୍ଭବାନା ଅଧିକ ରହିଛି । ହୁଏତ ଦଳ କିଛି ନୂଆ ନିଷ୍ପତ୍ତି ନେଇପାରେ । ସେନେଇ ବର୍ତ୍ତମାନ କିଛି ଆକଳନ କରିବା କାଠିକର ପାଠ ।

ତେବେ ଆଜି ବିଜେପିର ଆଗଧାଡ଼ିର ଟାଣୁଆ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ବିଜେଡିରେ ସାମିଲ ହୋଇଥିବାରୁ ତାଙ୍କ ନାମକୁ ନେଇ ଏବେ ବଡ଼ ଚର୍ଚ୍ଚା ହେଉଛି । ସେ ନବୀନ ନିବାସ ଯାଇ ସୁପ୍ରିମୋ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନଙ୍କୁ ଭେଟିଥିବାରୁ ତାଙ୍କ ନାମ ଚର୍ଚ୍ଚାର ପରିସରକୁ ଆସିଛି । ଏହି ଆସନ ପାଇଁ ଦଳ କାହାକୁ ଟିକେଟ୍ ଦେଉଛି ତାହା ଖୁବଶୀଘ୍ର ସ୍ପଷ୍ଟ ହୋଇଯିବ । ବାଲେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ବିଜେପି ପ୍ରତାପ ଷଡ଼ଙ୍ଗୀଙ୍କୁ ଟିକେଟ ଦେଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ । ବାଲେଶ୍ୱର ଗଡ଼ ଦଖଲ ପାଇଁ ବିଜେଡି କେଉଁ ଫର୍ମୂଲା ଆପ୍ଲାଏ କରୁଛି ତାହା ଏବେ ବଡ଼ ପ୍ରଶ୍ନ । କାହାକୁ ଟିକେଟ ଦେଲେ ଦଳ ଏହି ଆସନରୁ ବିଜୟୀ ହେବ ସେନେଇ ସୁପ୍ରିମୋ ନିଷ୍ପତ୍ତି ଗ୍ରହଣ କରିବେ ।

Get real time updates directly on you device, subscribe now.