fbpx

ଭାରତ-ନ୍ୟୁଜିଲାଣ୍ଡ ସେମି ଟକ୍କର: ଆଜି ଯଦି ବର୍ଷା ହୁଏ ବା ମ୍ୟାଚ ଟାଇ ହୁଏ, ତେବେ, କାହାକୁ ବିଜେତା ଘୋଷଣା କରାଯିବ

Advertisement

ନୂଆଦିଲ୍ଲୀ: ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚଳିତ ଦିନିକିଆ ବିଶ୍ୱକପର ପ୍ରଥମ ସେମିଫାଇନାଲ ଖେଳାଯିବ । ସେମିରେ ବିଜୟ ହାସଲ କରି ଫାଇନାଲ ଖେଳିବା ପାଇଁ ଦୁଇ ଟିମ୍ ଜୋରଦାର ଭାବେ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ଗତ ୨୦୧୯ ବିଶ୍ୱକପର ପ୍ରତିଶୋଧ ନେଇ ଭାରତ ଫାଇନାଲ ଖେଳିବାକୁ ଯୋଜନା କରିଛି । ଆଜିର ମ୍ୟାଜ ପାଇଁ ଦୁଇ ଟିମର ଅଧିନାୟକ ନିଜ ନିଜର ଯୋଜନା ପ୍ରସ୍ତୁତ କରିଛନ୍ତି ।

ତେବେ ଚଳିତ ବିଶ୍ୱକପରେ ଭାରତ କ୍ରମାଗତ ୮ଟି ମ୍ୟାଚ ଜିତି ଅପରାଜେୟ ରହିଥିଲେ ହେଁ ନ୍ୟୁଜିଲାଣ୍ଡକୁ ନେଇ ଟିମ୍ ଇଣ୍ଡିଆକୁ ସାବଧାନ ରହିବାକୁ ପଡ଼ିବ । କାରଣ ଗତ ୨୦୧୯ ବିଶ୍ୱକପ ସେମିଫାଇନାଲରେ ଭାରତକୁ ନ୍ୟୁଜିଲାଣ୍ଡ ପରାସ୍ତ କରିଥିଲା । ତେବେ ଏଠାରେ ପ୍ରଶ୍ନଉଠେ, ଯଦି ସେମିଫାଇନାଲ ମ୍ୟାଚରେ ବର୍ଷା ହୁଏ ବା ମ୍ୟାଚ ଟାଇ ହୁଏ ତେବେ କାହାକୁ ବିଜେତା ଘୋଷଣା କରାଯିବ?

ଯଦି ସେମିଫାଇନାଲରେ ବର୍ଷା ବାଧକ ସାଜେ ତେବେ ଆଇସିସି ଏଥିପାଇଁ ରିଜର୍ଭ-ଡେ’ ରଖିଛି । ଫାଇନାଲ ମ୍ୟାଚ ପାଇଁ ମଧ୍ୟ ଏହି ବିକଳ୍ପ ରଖାଯାଇଛି । ତେବେ ରିଜର୍ଭ-ଡେ’ରେ ଯଦି ପୁଣି ବର୍ଷା ହୁଏ, ତେବେ ପଏଣ୍ଟ ଟେବୁଲରେ ଦୁଇ ଟିମର ପୋଜିସନ ଦେଖାଯିବ । ଟେବୁଲ ଉପରେ ରହିଥିବା ଟିମକୁ ବିଜେତା ଭାବେ ଘୋଷଣା କରାଯିବ । ପଏଣ୍ଟ ଟେବୁଲରେ ଟପରେ ରହିଥିବାରୁ ଏଭଳି ସ୍ଥିତିରେ ଭାରତକୁ ବିଜେତା ଘୋଷଣା କରାଯିବ । ସେହିପରି ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମ୍ୟାଚ ସମୟରେ ଯଦି ଏହି ସ୍ଥିତି ଉପୁଜେ ତେବେ ଟେବୁଲର ୨ ନମ୍ବରରେ ରହିଥିବା ଟିମକୁ ବିଜେତା ଭାବେ ଘୋଷଣା କରାଯିବ ।

ଗତ ୨୦୧୯ ବିଶ୍ୱକପ ଫାଇନାଲ ମ୍ୟାଚ ଟାଇ ହେବାରୁ ସୁପର ଓଭର ହୋଇଥିଲା । ମାତ୍ର ସୁପର ଓଭର ଟାଇ ହେବାରୁ ବାଉଣ୍ଡରି ଗଣା ଯାଇଥିଲା । ଫଳରେ ଇଂଲଣ୍ଡକୁ ବିଜେତା ଭାବେ ଘୋଷିତ କରାଯାଇଥିଲା । ତେବେ ଉକ୍ତ ନିୟମକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ଓ ପରେ ତାହାକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ହଟାଇ ଦେଇଥିଲା । ତେବେ ଚଳିତ ବିଶ୍ୱକପରେ ଉକ୍ତ ନିୟମ ଲାଗୁ ହେବ ନାହିଁ । ଯଦି ସେମିଫାଇନାଲ ବା ଫାଇନାଲ ମ୍ୟାଚ ଟାଇ ହୁଏ ତେବେ ସୁପର ଓଭର କରାଯିବ । ଯଦି ସୁପର ଓଭର ଟାଇ ହୁଏ, ତେବେ ଏଭଳି ସ୍ଥିତିରେ ପୁଣି ଥରେ ସୁପର ଓଭର କରାଯିବ । ଗୋଟିଏ ଟିମ୍ ଜିତିବା ପର୍ଯ୍ୟନ୍ତ ଓପର ଓଭର ଖେଳ ଜାରି ରହିବ । ଫଳରେ ଫ୍ୟାନ୍ସଙ୍କ ମଧ୍ୟରେ ଅଧିକ ରୋମାଞ୍ଚ ଦେଖିବାକୁ ମିଳିବ ।

Get real time updates directly on you device, subscribe now.