ନୂଆଦିଲ୍ଲୀ: ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ବିରାଟ କୋହଲି ଭାରତୀୟ ଟେଷ୍ଟ ଦଳର ଅଧିନାୟକ ପଦ ଛାଡିଛନ୍ତି। କୋହଲି ଟ୍ଵିଟ୍ କରି ଖୋଦ୍ ଏହାର ସୂଚନା ଦେଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶୃଙ୍ଖଳା ହାରିବା ପରେ କୋହଲି ଟେଷ୍ଟ ଅଧିନାୟକରୁ ଇସ୍ତଫା ଦେଇଛନ୍ତି। ଏହି ଘଟଣା ଏବେ କ୍ରିକେଟ୍ ଜଗତରେ ଚହଳ ପକାଇଛି। ୨୦୧୪ରେ ଧୋନୀ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ ମଝିରେ ଅଧିନାୟକ ପଦ ଛାଡିବା ପରେ କୋହଲିଙ୍କୁ ଟେଷ୍ଟ ଦଳର ଅଧିନାୟକ ନିଯୁକ୍ତ କରାଯାଇଥିଲା। ଏବେ ସବୁଠୁ ବଡ ପ୍ରଶ୍ନ ଭାରତୀୟ ଟେଷ୍ଟ ଦଳର ପରବର୍ତ୍ତୀ ଅଧିନାୟକ କିଏ ହେବ ? ଏଥିପାଇଁ ତିନି ବଡ ଖେଳାଳିଙ୍କ ନାମ ସବୁଠୁ ଆଗରେ ରହିଛି।
ରୋହିତ ଶର୍ମା
ଆହତଜନିତ ସମସ୍ୟା କାରଣରୁ ରୋହିତ ଦକ୍ଷିଣ ଆଫ୍ରିକା ଗସ୍ତରୁ ବାଦ୍ ପଡିଛନ୍ତି। ରୋହିତଙ୍କୁ ପୂର୍ବରୁ ଟି-୨୦ ଏବଂ ଦିନିକିଆ ଦଳର ଅଧିନାୟକ କରାଯାଇଛି। ଏମିତିରେ ବିରାଟ କୋହଲି ଟେଷ୍ଟ ନେତୃତ୍ଵ ଛାଡିବା ପରେ ରୋହିତ ଶର୍ମାଙ୍କୁ ଦଳର କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି।
କେଏଲ ରାହୁଲ
ରୋହିତ ଶର୍ମାଙ୍କ ପରେ କେଏଲ ରାହୁଲ ଟେଷ୍ଟ ଦଳର ଅଧିନାୟକ ପଦ ପାଇଁ ଦ୍ଵିତୀୟ ସବୁଠୁ ବଡ ଦାବିଦାର। ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ଦ୍ଵିତୀୟ ମ୍ୟାଚରେ ଲୋକେଶଙ୍କୁ ଦଳର ଅଧିନାୟକ ଦାୟିତ୍ଵ ଦିଆଯାଇଥିଲା। ତେବେ ଭାରତୀୟ ଦଳ ଦ୍ଵିତୀୟ ଟେଷ୍ଟରେ ପରାଜିତ ହୋଇଥିଲା। ରୋହିତ ଶର୍ମା ଦିନିକିଆ ସିରିଜ୍ ଖେଳୁନଥିବାରୁ ସ୍ଥାନରେ କେଏଲ ରାହୁଲଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଅଧିନାୟକ କରାଯାଇଛି।
ଯଶପ୍ରୀତ ବୁମରା
ଭାରତର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା ଟେଷ୍ଟ ଦଳର ଅଧିନାୟକ ପଦ ପାଇଁ ତୃତୀୟ ସବୁଠୁ ବଡ ଦାବିଦାର। ରୋହିତ ଶର୍ମାଙ୍କ ଅନୁପସ୍ଥିତି କାରଣରୁ ବୁମରାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚର ଦିନିକିଆ ସିରିଜ୍ ପାଇଁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି। ଅଷ୍ଟ୍ରେଲିଆର ପାଟ୍ କମିନ୍ସଙ୍କ ପରି ବୁମରାଙ୍କୁ ଅଧିନାୟକ କରାଯିବା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ।
ସୂଚନାଯୋଗ୍ୟ, ବିରାଟ କୋହଲିଙ୍କ ନେତୃତ୍ଵରେ ଭାରତୀୟ ଦଳ ଟେଷ୍ଟ ରାଙ୍କିଙ୍ଗ୍ରେ ଶୀର୍ଷରେ ପହଞ୍ଚିଛି। ତାଙ୍କ ନେତୃତ୍ଵରେ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ସ୍ମରଣୀୟ ଏବଂ ଐତିହାସିକ ବିଜୟ ହାସଲ କରିଛି।