fbpx

ଟି-୨୦ ବିଶ୍ୱକପରେ ବଡ ରହସ୍ୟ: କାହିଁକି ସଞ୍ଜୁ ସାମସନଙ୍କ ବଦଳରେ ଦୀପକ ହୁଡ୍ଡା ପାଇଲେ ସ୍ଥାନ…

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପାଇଁ ଘୋଷଣା ହୋଇଛି ୧୫ ଜଣିଆ ଭାରତୀୟ ଟିମ । ଏହାପରଠୁ ଆରମ୍ଭ ହୋଇଛି ଆଲୋଚନା ଏବଂ ପର୍ଯ୍ୟାଲୋଚନା । ଗୋଟିଏ ପଟେ ମହମ୍ମଦ ଶାମୀଙ୍କ ଚୟନକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଦୀପକ ହୁଡ୍ଡାଙ୍କ ସିଲେକ୍ସନକୁ ନେଇ ଉଠିଛି ପ୍ରଶ୍ନ । ସଞ୍ଜୁ ସାମସନଙ୍କ ସ୍ଥାନରେ ଦୀପକ ହୁଡ୍ଡାଙ୍କୁ ଦଳରେ କାହିଁକି ସ୍ଥାନ ଦିଆଗଲା, ତାହାକୁ ନେଇ ପ୍ରଶଂସକମାନେ ପ୍ରଶ୍ନ କରିଛନ୍ତି । ତେବେ ଏହାର ଉତ୍ତର ରଖିଛି ବିସିସିଆଇ ।

ଏସିଆ କପ୍-୨୦୨୨ରେ ଋଷଭ ପନ୍ତଙ୍କ ଖରାପ ପ୍ରଦର୍ଶନ ପରେ ବିଶ୍ୱକପରେ ତାଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ସିଲେକ୍ସନ କରିବା ପାଇଁ ଦାବି ହୋଇଥିଲା । କିନ୍ତୁ ବିସିସିଆଇ ପୁଣି ଥରେ ପନ୍ତଙ୍କ ଉପରେ ଭରସା କରିଛି । ଫଳରେ ସଞ୍ଜୁ ସାମସନ ପୁଣି ଥରେ ଦଳରୁ ଦୂରେଇ ରହିଛନ୍ତି । ରେକର୍ଡ ଅନୁସାରେ ସାମସନଙ୍କୁ ପନ୍ତଙ୍କ ଅପେକ୍ଷା ଅଧିକ ପ୍ରଭାବଶାଳୀ ବୋଲି ପ୍ରମାଣ କରିଛନ୍ତି କିଛି ଫ୍ୟାନ୍ସ । ତେବେ ସୋସିଆଲ ମିଡିଆରେ ବଢୁଥିବା ଏହି ଆଲୋଚନାକୁ ନେଇ ଉତ୍ତର ରଖିଛି ବିସିସିଆଇ । ସଞ୍ଜୁଙ୍କ ନିକଟରେ ଟାଲେଣ୍ଟ ରହିଛି । କିନ୍ତୁ ସଂଯୋଜନ ପାଇଁ ଫିଟ ନୁହେଁ ବୋଲି କହିଛନ୍ତି ବିସିସିଆଇର ସଦସ୍ୟ । ଦଳର ଟପ୍-୫ ରେ ସ୍ଥାନ ନାହିଁ, ଯଦି କେହି ଆହତ ହୋଇଗଲେ ତାହା ଅସୁବିଧା ସୃଷ୍ଟି କରିବ ।

ତେଣୁ ଦଳ ଜଣେ ଏମିତି ଖେଳାଳିଙ୍କୁ ଖୋଜୁଥିଲା, ଯିଏ ଆବଶ୍ୟକ ପଡିଲେ କିଛି ଓଭର ବୋଲିଂ କରିପାରିବେ । ତେବେ ଦୀପକ ହୁଡ୍ଡା ଏହି ଆବଶ୍ୟକତାକୁ ପୂରଣ କରି ପାରିଛନ୍ତି । ତେଣୁ ସଞ୍ଜୁ ସାମସନଙ୍କ ପରିବର୍ତ୍ତେ ଦୀପକ ହୁଡ୍ଡାଙ୍କୁ ଚୟନ କରିଛି ବିସିସିଆଇ । ଏହା ସହିତ ସଞ୍ଜୁ ସାମସନଙ୍କ ସିଲେକ୍ସନ ନ ହେବାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ଚୟନ କମିଟିର ସଦସ୍ୟ ।

Get real time updates directly on you device, subscribe now.