fbpx

କାହିଁକି ଲାଗି ହୁଏ ପୋଡ଼ପିଠା? ବାହୁଡ଼ାରେ ମହାପ୍ରଭୁଙ୍କୁ ସରାଗରେ ଖୁଆଇ ଦିଅନ୍ତି ମାଉସୀ ମା’

ଓଡ଼ିଶା ଭାସ୍କର: ବାହୁଡ଼ା ଯାତ୍ରା ଦିନ ମହାପ୍ରଭୁ ପୁରୀ ବଡ଼ଦାଣ୍ଡର ବଳଗଣ୍ଡି ଛକ ନିକଟରେ ଥବା ମାଉସି ମା ଘର ନିକଟରେ ରହି ପୋଡ଼ ପିଠା ଖାଇଥାନ୍ତି। ମହାପ୍ରଭୁଙ୍କ ଏହି ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସିଛି। ମହାପ୍ରଭୁଙ୍କ ଏହି ଲୀଳା କେବଳ ତାଙ୍କୁ ଜଣା। ତେବେ କିମ୍ବଦନ୍ତୀ ଅନୁସାରେ ପୂର୍ବରୁ ବଡ଼ଦାଣ୍ଡ ମାଳିନୀ ନଦୀ ଦ୍ୱାରା ବିଭାଜିତ ଥିଲା। ତେଣୁ ରଥଯାତ୍ରା ସମୟରେ ଶ୍ରୀଜିଉମାନଙ୍କ ପାଇଁ ୬ଟି ରଥ ନିର୍ମିତ ହେଉଥିଲା। ନଦୀର ଏପାଖରେ ୩ଟି ରଥ ଏବଂ ଆର ପାଖେ ୩ଟି ରଥ ରହୁଥିଲା।

ମହାପ୍ରଭୁ ଶ୍ରୀମନ୍ଦିରରୁ ୩ଟି ରଥରେ ଆସି ନୌକାରେ ନଦୀ ପାର ହୋଇ ଅନ୍ୟ ତିନି ରଥରେ ଅବସ୍ଥାନ କରୁଥିଲେ। ସେ ସମୟରେ ରଥଯାତ୍ରାର ରଥ ବଦଳ ବଦଳ ନୀତି ୬-୭ ଦିନ ଲାଗୁଥିଲା। ଏହି ଅସୁବିଧାକୁ ଦେଖି ମାଉସୀ ମା’ ମାଳିନୀ ନଦୀକୁ ଶୋଷି ନେଇଥିବାର ବିଶ୍ୱାସ କରାଯାଏ। ତେଣୁ ମାଉସୀ ମା’ଙ୍କୁ ଅର୍ଦ୍ଧାଶିନୀ ବା ଅର୍ଦ୍ଧଶୋଷିନୀ ଭାବେ ପୂଜା କରାଯାଇଥାଏ। ମହାପ୍ରଭୁ କଥା ରକ୍ଷା କରିବାକୁ ଯାଇ ବାହୁଡ଼ିବା ରାସ୍ତାରେ ମାଉସୀ ମା’ଙ୍କ ହାତ ତିଆରି ସ୍ୱାଦିଷ୍ଟ ପୋଡ଼ପିଠା ଖାଇଥିଲେ। ଏହା ପର ଠାରୁ ହିଁ ପୋଡ଼ପିଠା ଖାଇବାର ପରମ୍ପରା ଚାଲି ଆସୁଛି।

ଓଡ଼ିଆମାନଙ୍କ ପ୍ରମୁଖ ପିଠା ମଧ୍ୟରେ ପୋଡ଼ପିଠା ହେଉଛି ସର୍ବୋତ୍ତମ। ସେହିପରି ବୈଦିକ ରିତିନୀତି ଅନୁସାରେ ମହାପ୍ରଭୁଙ୍କ ଯଜ୍ଞରେ କରୋଡ଼ାସ ଭୋଗ ହୋଇଥାଏ। ତେଣୁ ପରମ୍ପରା ଅନୁସାରେ ଯଜ୍ଞର ଅନ୍ତିମ ଦିନରେ ପୋଡ଼ପିଠା ଚୁତୁର୍ଦ୍ଧା ମୁରତିଙ୍କ ନିକଟରେ ଅର୍ପଣ କରାଯାଇଥାଏ। ମାଉସୀ ମା’ ଅତି ଆଦରର ସହ ପୋଡ଼ପିଠା ତିଆରି କରିଥାନ୍ତି। ରଥାରୁଢ ତିନିଠାକୁରଙ୍କ ନିକଟରେ ଯଜ୍ଞ କରୋଡ଼ାସ ରୂପରେ ଏହି ପୋଡ଼ପିଠା ଲାଗି ହୋଇଥାଏ। ସ୍ୱାଦିଷ୍ଟ ପୋଡ଼ପିଠା ଖାଇ ମହାପ୍ରଭୁ ଶ୍ରୀକ୍ଷେତ୍ରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।

Get real time updates directly on you device, subscribe now.