କାହିଁକି ଆମେରିକାକୁ Statue of Liberty ଦେଇଥିଲା ଫ୍ରାନ୍ସ, ଏବେ ଫେରାଇ ନେବାକୁ ଚାହୁଁଛି, ଜାଣନ୍ତୁ ପୂରା ଘଟଣା…

ପ୍ୟାରିସ୍,୨୨ା୩: ଆମେରିକାରେ ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ପରେ ଦୁନିଆର ବାଣିଜ୍ୟ ନୀତି ସମ୍ପୂର୍ଣ୍ଣ ବଦଳି ଯାଇଛି। ଏହା ବିଶେଷ ଭାବରେ ୟୁରୋପୀୟ ଦେଶମାନଙ୍କୁ ପ୍ରଭାବିତ କରିଛି, ଯେଉଁ କାରଣରୁ ଆମେରିକା ଏବଂ ୟୁରୋପୀୟ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇପଡିଛି। ଏଥିରେ ସବୁଠାରୁ ବଡ ପ୍ରସଙ୍ଗ ହେଉଛି ରୁଷ୍ ଏବଂ ୟୁକ୍ରେନ ଯୁଦ୍ଧ। ବାସ୍ତବରେ ଟ୍ରମ୍ପ ୟୁକ୍ରେନକୁ ସାମରିକ ସହାୟତା ଯୋଗାଇବାକୁ ମନା କରିଦେଇଥିଲେ, କିନ୍ତୁ ୟୁରୋପୀୟ ଦେଶମାନେ ଏହାର ସପକ୍ଷରେ ନଥିଲେ।

ଏହି ସମୟରେ ଫ୍ରାନ୍ସ ଐତିହାସିକ ‘ଷ୍ଟାଚ୍ୟୁ ଅଫ୍ ଲିବର୍ଟି’ ଫେରାଇ ନେବା ପାଇଁ ଆମେରିକା ନିକଟରେ ଦାବି କରିଛି । ୟୁରୋପୀୟ ସଂସଦର ସଦସ୍ୟ ତଥା ଫ୍ରାନ୍ସର ବାମପନ୍ଥୀ ଦଳର ସହ-ଚେୟାରମ୍ୟାନ୍ ରାଫେଲ ଗ୍ଲକ୍ସମ୍ୟାନ୍ କହିଛନ୍ତି ଯେ,ଆମେରିକା ଆଉ ଏହି ଐତିହାସିକ ଐତିହ୍ୟ ପାଇଁ ଯୋଗ୍ୟ ନୁହେଁ ଏବଂ ବର୍ତ୍ତମାନ ଷ୍ଟାଚ୍ୟୁ ଅଫ୍ ଲିବର୍ଟି ଫେରସ୍ତ କରିବା ଉଚିତ୍। ଏଭଳି ପରିସ୍ଥିତିରେ ଲୋକମାନେ ଜାଣିବାକୁ ଚାହାନ୍ତି ଯେ ଫ୍ରାନ୍ସ କାହିଁକି ଏହି  ଐତିହାସିକ ପ୍ରତିମୂର୍ତ୍ତିକୁ ଆମେରିକା ଦେଇଛି? ଏହାର ଇତିହାସ କ’ଣ ଏବଂ ଏତେ ବଡ ପ୍ରତିମୂର୍ତ୍ତି ଆମେରିକାରେ କିପରି ପହଞ୍ଚିଲା?

ଫ୍ରାନ୍ସ କାହିଁକି ଏତେ ବଡ ଉପହାର ଦେଲା?

ଷ୍ଟାଚ୍ୟୁ ଅଫ୍ ଲିବର୍ଟି ହେଉଛି ଆମେରିକାର ଏକ ଐତିହାସିକ ସ୍ମାରକୀ ଏବଂ ସ୍ୱାଧୀନତାର ପ୍ରତୀକ। ପ୍ରତିବର୍ଷ ପୃଥିବୀର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏହାକୁ ଦେଖିବାକୁ ଆସନ୍ତି। ୧୮୮୬ ମସିହାରେ ସ୍ୱାଧୀନତାର ୧୦୦ ତମ ବାର୍ଷିକୀ ଅବସରରେ ଫ୍ରାନ୍ସ ଏହି ପ୍ରତିମୂର୍ତ୍ତିକୁ ଆମେରିକାକୁ ଉପହାର ଦେଇଥିଲା।  ଏହି ପ୍ରତିମୂର୍ତ୍ତିକୁ ଫରାସୀ ଶିଳ୍ପୀ ଫ୍ରେଡେରିକ୍ ଅଗଷ୍ଟେ ବାର୍ଟୋଲ୍ଡି ଡିଜାଇନ୍ କରିଥିଲେ। ଏହି ପ୍ରତିମୂର୍ତ୍ତିକୁ ଫ୍ରାନ୍ସ ଏବଂ ଆମେରିକା ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତୀକ ଭାବରେ ଦେଖାଯାଏ, ଯାହା ସ୍ୱାଧୀନତା, ଗଣତନ୍ତ୍ର ଏବଂ ନ୍ୟାୟର ପ୍ରତୀକ ପାଲଟିଛି।

ଏତେ ବଡ ମୂର୍ତ୍ତି ଆମେରିକାରେ କିପରି ପହଞ୍ଚିଲା?

ଷ୍ଟାଚ୍ୟୁ ଅଫ୍ ଲିବର୍ଟିର ଉଚ୍ଚତା ୯୩ ମିଟର ଯଥା ପ୍ରାୟ ୩୦୫ ଫୁଟ। ଏହି ପ୍ରତିମୂର୍ତ୍ତି ତମ୍ବାରେ ନିର୍ମିତ।  ଏହାର ମୁଣ୍ଡରେ ୭ କିରଣ ଥିବା ଏକ ମୁକୁଟ ଅଛି, ଯାହା ସାତ ମହାଦେଶ ଏବଂ ସାତ ସମୁଦ୍ରର ପ୍ରତୀକ ଅଟେ। ମୂର୍ତ୍ତିର ପାଦରେ ଭଙ୍ଗା ଜଞ୍ଜିର ରହିଛି, ଯାହା ଦାସତ୍ୱରୁ ମୁକ୍ତିର ପ୍ରତୀକ ଅଟେ। ୧୮୮୬ରେ ଫ୍ରାନ୍ସ ଏହି ପ୍ରତିମୂର୍ତ୍ତିକୁ ଆମେରିକାରେ ଉପହାର ଦେଇଥିଲା। ଏହାର ନିର୍ମାଣ ଖର୍ଚ୍ଚ ଫ୍ରାନ୍ସ ବହନ କରିଥିଲାବେଳେ ଆମେରିକା ପେଡେଷ୍ଟାଲ ପାଇଁ ପାଣ୍ଠି ସଂଗ୍ରହ କରିଥିଲା। ଖବର ଅନୁଯାୟୀ, ଏହିପରି ଏକ ଉଚ୍ଚ ଏବଂ ବୃହତ ପ୍ରତିମୂର୍ତ୍ତିକୁ ୩୫୦ ଖଣ୍ଡରେ ବିଭକ୍ତ କରାଯାଇ ୨୧୪ ବାକ୍ସରେ ରଖାଯାଇଥିଲା ଏବଂ ଜାହାଜ ଦ୍ୱାରା  ଆମେରିକା ପଠାଯାଇଥିଲା, ଯାହା ୨୬ ଅକ୍ଟୋବର ୧୮୮୬ରେ ନ୍ୟୁୟର୍କ ହାର୍ବରରେ ସ୍ଥାପିତ ହୋଇଥିଲା।