fbpx

ରାଜ୍ୟରେ ରସୁଣ ଦର ବଢ଼ିବାର କାରଣ କ’ଣ: କେଜି ୪୦୦ ଟଙ୍କା, ଖାଉଟି ଚିନ୍ତାରେ, ଏପରି ଅବସ୍ଥା ପାଇଁ ଦାୟୀ କିଏ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ରସୁଣ ଦର ଅଚାନକ ଭାବେ ବୃଦ୍ଧି ପାଇଛି । ରାଜ୍ୟର କିଛି ସ୍ଥାନରେ ରସୁଣ କେଜି ୩୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଉ କିଛି ସ୍ଥାନରେ ୪୦୦ ଟଙ୍କାରେ ବିକ୍ରି ହେଉଥିବା ଦେଖାଯାଉଛି । ତେବେ ରୋଷେଇ ପାଇଁ ରସୁଣ ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବା ବେଳେ ଏହାର ଦର ବଢ଼ିବା ଏବେ ଖାଉଟିଙ୍କୁ ଚିନ୍ତାରେ ପକାଇଛି । ଗତବର୍ଷ ମଧ୍ୟ ଅଦା ଓ ରସୁଣର ଦର ବୃଦ୍ଧି ପାଇଥିଲା ।

ତେବେ ରସୁଣ ଦର ବୃଦ୍ଧିକୁ ନେଇ ସାଧାରଣ ଜନତା ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବିଭିନ୍ନ କାରଣରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟରେ ଚାଷୀମାନେ ଆଉ ରସୁଣ ଚାଷ କରୁନଥିବା ବେଳେ ରାଜ୍ୟ ଭିତରୁ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ପରି ବଡ଼ ସହରକୁ ରସୁଣ ଆସୁନଥିବା ଦେଖାଯାଉଛି । ପୂର୍ବରୁ ଚାଷୀମାନେ ପନିପରିବା ଚାଷ ସହ ରସୁଣ ଚାଷ କରୁଥିଲେ । ସେମାନେ ନିଜ ପାଇଁ ରଖି ବଳକା ରସୁଣକୁ ବଜାରକୁ ଛାଡ଼ୁଥିଲେ ।

ରାଜ୍ୟର କିଛି ଚାଷୀ ବର୍ତ୍ତମାନ ସମୟରେ ରସୁଣ ଚାଷ କରୁଥିବା ବେଳେ ସେମାନେ ତାହାକୁ ନିଜ ଘରେ ରଖି ନିଜେ ବ୍ୟବହାର କରୁଛନ୍ତି । ରାଜ୍ୟର ଆଠଗଡ଼ ଓ ବାଙ୍କି, ଭଦ୍ରକ, ଯାଜପୁର, ନୟାଡ଼ ଅଞ୍ଚଳରେ ରସୁଣ ଚାଷ କରାଯାଉଥିଲା । ଦକ୍ଷିଣ ଓଡ଼ିଶାର କୋରାପୁଟରେ ସର୍ବାଧିକ ଚାଷ ହେଉଥିଲା । ବାଙ୍କି, ଆଠଗଡ଼, ପିପିଲି ଆଦି ଅଞ୍ଚଳରୁ ଭୁବନେଶ୍ୱର ଓ କଟକ ହାଟକୁ ରସୁଣ ଆସୁଥିଲା । ମାତ୍ର ବିଗତ କିଛିବର୍ଷ ହେଲା ଏହି ସବୁ ଅଞ୍ଚଳମାନଙ୍କରୁ ଆଉ ରସୁଣ ବଜାରକୁ ଆସୁନାହିଁ ।

ଦେଶର ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ଇଟାନଗର, ଜାମୁନଗରରେ ସବୁଠାରୁ ଅଧିକ ରସୁଣ ଚାଷ ହେଉଥିବା ବେଳେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡରେ କମ୍ ଉତ୍ପାଦନ କାରଣରୁ ରାଜ୍ୟରେ ଏବେ ରସୁଣ ଦର ବୃଦ୍ଧି ପାଇଥିବା କୁହାଯାଉଛି । ରାଜ୍ୟର ବେପାରୀମାନେ ଏହିସବୁ ରାଜ୍ୟମାନଙ୍କରୁ ରସୁଣ ଆମଦାନୀ କରିଥାନ୍ତି । ପ୍ରତିବର୍ଷ ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶରୁ ଓଡ଼ିଶାକୁ ରସୁଣ ଯୋଗାଣ କରାଯାଇଥାଏ । ତେବେ ଚଳିତ ବର୍ଷ ଉତ୍ତର ଭାରତରେ ପ୍ରବଳ ଶୀତ ଅନୁଭୂତ ହୋଇଥିବାରୁ ସେଠାରେ ରସୁଣ ଶୁଖିଯାଇଥିଲା ବୋଲି କୁହାଯାଉଛି । ଏନେି ରାଜ୍ୟର ଜଣେ ବେପାରୀ କହିଛନ୍ତି, ମଧ୍ୟପ୍ରଦେଶରୁ ରସୁଣ କେଜି ୩୦୦ରୁ ୩୨୦ ଟଙ୍କାରେ କ୍ରୟ କରାଯାଉଥିବା ବେଳେ ପରିବହନ ଖର୍ଚ୍ଚ ପରେ ରାଜ୍ୟରେ କ୍ଷୁଦ୍ର ବେପାରୀଙ୍କୁ ୩୩୦ରୁ ୩୫୦ ଟଙ୍କାରେ ବିକ୍ରି କରାଯାଉଛି । ରାଜ୍ୟର ବିଭିନ୍ନ ହାଟରେ ରସୁଣ ଦର ଅଲଗା ଅଲଗା ରହିଛି । ତେବେ କିଛି ବେପାରୀ ରସୁଣକୁ ଚଢ଼ା ଦରରେ ବିକ୍ରି କରୁଥିବା ବେଳେ ଏହାକୁ ନିୟନ୍ତ୍ରଣ ପାଇଁ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବା ସେ କହିଛନ୍ତି ।

Get real time updates directly on you device, subscribe now.