fbpx

ବହୁ ଶୁଭ ଯୋଗରେ ଏଥର ପଡୁଛି ନିର୍ଜଳା ଏକାଦଶୀ, ଜାଣନ୍ତୁ ବ୍ରତ ରଖିଲେ ମିଳିଥାଏ କ’ଣ ଫାଇଦା

Advertisement

ଓଡ଼ିଶା ଭାସ୍କର: ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ପଡୁଥିବା ନିର୍ଜଳା ଏକାଦଶୀ, ଭୀମସେନି ଏକାଦଶୀ, ଭୀମ ଏକାଦଶୀ ଭାବରେ ପରିଚିତ । ଏହି ଏକାଦଶୀ ବ୍ରତ ରଖିବା ଦ୍ୱାରା ବର୍ଷକ ମଧ୍ୟରେ ପଡୁଥିବା ସମସ୍ତ ଏକାଦଶୀ ବ୍ରତର ପୁଣ୍ୟ ମିଳିଥାଏ । ଏଣୁ ସମସ୍ତ ଏକାଦଶୀ ତିଥ ମଧ୍ୟରେ ନିର୍ଜଳା ଏକାଦଶୀକୁ ଅଧିକ ମହତ୍ତ୍ୱପୂର୍ଣ୍ଣ ମନେ କରାଯାଏ ।

ଏକାଦଶୀ ତିଥି ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା ଲାଗି ସମର୍ପିତ । ଏଥର ନିର୍ଜଳା ଏକାଦଶୀ ବ୍ରତ ବହୁ ଦୃଷ୍ଟିରୁ ଖାସ୍ ରହିବ । କାରଣ ଏହିଦିନ ବହୁ ଶୁଭ ଯୋଗ ସୃଷ୍ଟି ହେବାକୁ ଯାଉଛି । ଏହି ଶୁଭ ଯୋଗରେ କରାଯାଇଥିବା ପୂଜା ବ୍ରତରୁ ବହୁତ ଲାଭ ମିଳିଥାଏ । ଜ୍ୟେଷ୍ଠ ମାସରେ ନିର୍ଜଳା ଏକାଦଶୀ ବ୍ରତ ଚଳିତ ବର୍ଷ ମଙ୍ଗଳବାର ୧୮ ଜୁନ୍ ୨୦୨୪ରେ ରଖାଯିବ ।

ବର୍ଷକରେ ୨୪ କିମ୍ବା ଅଧିବର୍ଷ ପଡୁଥିଲେ ୨୬ ଏକାଦଶୀ ତିଥି ପଡିଥାଏ । କିନ୍ତୁ ନିର୍ଜଳା ଏକାଦଶୀକୁ ସବୁଠାରୁ କଠିନ ମନେ କରାଯାଏ । କାରଣ ଏଥିରେ ଏକାଦଶୀ ଦିନ ସୂର୍ଯ୍ୟୋଦୟ ଠାରୁ ଆରମ୍ଭ କରି ଆଗାମୀ ଦିନ ଦ୍ୱାଦଶୀ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଅନ୍ନ ଜଳ ଗ୍ରହଣ କରିବାକୁ ବାରଣ କରାଯାଇଛି ।

ଚଳିତ ବର୍ଷ ନିର୍ଜଳା ଏକାଦଶୀ ଦିନ ତ୍ରିପୁଷ୍କର ଯୋଗ, ଶିବ ଯୋଗ ଓ ସ୍ୱାତୀ ନକ୍ଷତ୍ର ଯୋଗ ରହୁଛି । ବ୍ରତ ସହିତ ନିର୍ଜଳା ଏକାଦଶୀ ପାରଣ ଦିନ ଅର୍ଥାତ୍ ଜୁନ୍ ୧୯ରେ ମଧ୍ୟ ବହୁ ଶୁଭ ଯୋଗ ସୃଷ୍ଟି ହେଉଛି । ଏହିଦିନ ସର୍ବାର୍ଥ ସିଦ୍ଧି ଯୋଗ, ରବି ଯୋଗ, ଅମୃତ ସିଦ୍ଧି ଯୋଗ ସୃଷ୍ଟି ହେଉଛି । ଏହି ଶୁଭ ଯୋଗରେ କରାଯାଇଥିବା ପାରଣ ବ୍ରତ ସଫଳ ହୋଇଥାଏ ଓ ଅକ୍ଷୟ ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ ।

Get real time updates directly on you device, subscribe now.