fbpx

ମୁସଲିମମାନେ କାହିଁକି ହଜ ଯାତ୍ରା କରନ୍ତି: ଜାଣନ୍ତୁ ଏହାର ନିୟମ ଓ ପରମ୍ପରା ସମ୍ବନ୍ଧରେ ବିସ୍ତୃତ ତଥ୍ୟ

ନୂଆଦିଲ୍ଲୀ: ଇସଲାମର ପାଞ୍ଚଟି ସ୍ତମ୍ଭ ମଧ୍ୟରୁ ହଜକୁ ଗୋଟିଏ ବୋଲି ଗ୍ରହଣ କରାଯାଇଥାଏ । ଶାରୀରିକ ଓ ମାନସିକ ଭାବେ ସକ୍ଷମ ମୁସଲିମଙ୍କୁ ନିଜ ଜୀବନ କାଳ ମଧ୍ୟରେ ଅତି କମରେ ଥରେ ହଜ ଯାତ୍ରା କରିବା ଉଚିତ । ହଜ ପାପ ଧୋଇବା ସହିତ ନିଜକୁ ଆଲ୍ଲାଙ୍କ ନିକଟତର କରାଇବାର ଏକ ମାଧ୍ୟମ ସାଜିଥାଏ । ମୁସଲିମଙ୍କ ପବିତ୍ର ‘ହଜ ଯାତ୍ରା’ ପ୍ରତି ବର୍ଷ ସାଉଦୀ ଅରବର ପବିତ୍ର ମକ୍କା ସହରରେ ଧୁଲ ହିଜ୍ଜା ମାସ ଅନୁଷ୍ଠିତ ହୋଇଥାଏ ।

ଧୁଲ ହିଜ୍ଜା ଇସଲାମିକ କ୍ୟାଲେଣ୍ଡର ବର୍ଷର ୧୨ତମ ମାସ । ଏଥର ହଜ ଜୁନ ମାସ ୨୬ରୁ ଆରମ୍ଭ ହୋଇ ଜୁଲାଇ ୧ ତାରିଖରେ ସମାପ୍ତ ହେବ । ପାଞ୍ଚ ଦିନ ବ୍ୟାପି ଚାଲୁଥିବା ହଜ ଯାତ୍ରା ଏକ ଧାର୍ମିକ ଯାତ୍ରା । ଇସଲାମ ଅନୁଯାୟୀ, ପ୍ରତି ମୁସଲିମଙ୍କୁ ନିଜ ଜୀବନ କାଳ ମଧ୍ୟରେ ଥରେ ହଜ ଯାତ୍ରା କରିବା ଉଚିତ । ହଜ ଯାତ୍ରା କରୁଥିବା ଲୋକଙ୍କୁ ହାଜି କୁହାଯାଇଥାଏ । ହଜ ଯାତ୍ରାର ପ୍ରଥମ ପର୍ଯ୍ୟାୟରେ ହାଜି ଇହରାମ ବାନ୍ଧିଥାନ୍ତି । ଏହା ଏକ ସିଲେଇ ହୋଇଥିବା କପଡ଼ା, ଯାହାକୁ ମୁଣ୍ଡରେ ବନ୍ଧା ଯାଇଥାଏ । ଏହି କପଡ଼ା ଧଳା ରଙ୍ଗର ହୋଇଥିବା ଆବଶ୍ୟକ । ମାତ୍ର ମହିଳାମାନେ ନିଜ ପସନ୍ଦ ମୁତାବକ କୌଣସି ସାଧା କପଡ଼ା ପିନ୍ଧି ପାରିବେ । ମାତ୍ର ହିଜାବର ନିୟମ ପାଳନ କରିବା ଜରୁରୀ ।

ହଜର ପ୍ରଥମ ଦିନ ହାଜି ସାତ ଥର କାବା ପରିକ୍ରମା କରିଥାନ୍ତି । ଏପରେ ସେ ଦୁଇଟି ପାହାଡ଼ ମଧ୍ୟରେ ସାତ ଥର ବୁଲିଥାନ୍ତି । ପୈଗମ୍ବର ଇବ୍ରାହିମଙ୍କ ପତ୍ନୀ ହାଜିରା ନିଜର ପୁତ୍ର ଇସ୍ମାଇଲଙ୍କ ପାଇଁ ଜଳ ସନ୍ଧାନରେ ସଫା ଓ ମରୱା ନାମକ ଦୁଇ ପାହାଡ଼ ମଧ୍ୟରେ ଚାଲିଥିବା କୁହାଯାଉଛି । ଏହାପରେ ହାଜି ମକ୍କାରୁ ଆଠ କିମି ଦୂର ମୀନା ସହରରେ ଏକତ୍ର ହୋଇଥାନ୍ତି ଓ ସେଠାରେ ରାତିରେ ନମାଜ ପାଠ କରିଥାନ୍ତି । ହଜର ଦ୍ୱିତୀୟ ଦିନରେ ହାଜି ମାଉଣ୍ଟ ଅରାଫାତ ଯାଇଥାନ୍ତି । ତୃତୀୟ ଦିନରେ ହାଜି ଜାମରାତ ଉପରେ ପଥର ଫୋପାଡ଼ିବା ପାଇଁ ଦ୍ୱିତୀୟ ଥର ମୀନା ଫେରିଥାନ୍ତି ।

Get real time updates directly on you device, subscribe now.