ନୂଆଦିଲ୍ଲୀ: ଇରାନ ରାଷ୍ଟ୍ରପତି ଇବ୍ରାହିମ୍ ରଇସିଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ମଧ୍ୟପ୍ରାଚ୍ୟରେ ପରିସ୍ଥିତି ଖରାପ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଭୌଗଳିକ-ରାଜନୈତିକ ଅସ୍ଥିରତା ମଧ୍ୟରେ ସୁନାର ଦର ୧% ବଢିଯାଇଛି । ତେବେ ଆଉନ୍ସ ପ୍ରତି ସୁନାର ସ୍ପଟ୍ ମୂଲ୍ୟ ୨୪୩୫ ଡଲାର ଥିବା ବେଳେ ଜୁନ୍ରେ ସମାପ୍ତ ହେବାକୁ ଯାଉଥିବା ଗୋଲ୍ଡ ଫ୍ୟୁଚର ଅନୁଯାୟୀ ଆଉନ୍ସ ପ୍ରତି ସୁନାର ମୂଲ୍ୟ ୨,୪୪୪.୫୫ ରେକର୍ଡ ଉଚ୍ଚ ସ୍ତରରେ ପହଞ୍ଚିଛି । ଏପରି କ୍ଷେତ୍ରରେ ସୁନା ଦରରେ ଆହୁରି ବୃଦ୍ଧି ପରିଲକ୍ଷିତ ହୋଇପାରେ ।
ଆଜି ମୁମ୍ବାଇରେ ଲୋକସଭା ନିର୍ବାଚନ ଥିବାରୁ ଇକ୍ୱିଟି ବଜାର ବନ୍ଦ ରହିଛି । ଅନ୍ୟ ପକ୍ଷରେ କମୋଡିଟୀ ମାର୍କେଟ୍ ସନ୍ଧ୍ୟା ୫ଟାରେ ଖୋଲିବ । ଏପରି ସ୍ଥିତିରେ ଏମସିଏକ୍ସରେ ସୁନା-ରୂପାର ମୂଲ୍ୟ ବୃଦ୍ଧି ପାଇ କାରବାର ହେବ ବୋଲି ଆକଳନ କରାଯାଇଛି । ତେବେ ଇରାନ୍ ରାଷ୍ଟ୍ରପତି ଇବ୍ରାହିମ୍ ରଇସିଙ୍କ ମୃତ୍ୟୁ ବ୍ୟତିତ ଆମେରିକାରେ ସୁଧ ହାର ହ୍ରାସ ଆଦି କାରଣରୁ ସୁନା ମୂଲ୍ୟ ବୃଦ୍ଧି ଘଟିପାରେ ।
ସାରା ବିଶ୍ୱରେ ଯୁଦ୍ଧ ଏବଂ ରାଜନୈତିକ ଓ ଭୌଗଳିକ ଅସ୍ଥିରତା କାରଣରୁ ପ୍ରାୟ ସମୟରେ ସୁନା ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଥାଏ । ଗତ ବର୍ଷ ନଭେମ୍ବରରେ ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ହୋଇଥିବା ଯୁଦ୍ଧ କାରଣରୁ ସୁନା ଦର ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା । ସୁନା ଓ ରୂପା ଏବେ ରେକର୍ଡ ମୂଲ୍ୟରେ କାରବାର କରୁଛି । ତେଣୁ ଏପରି ସ୍ଥିତିରେ ଇରାନ୍ ରାଷ୍ଟ୍ରପତି ରଇସିଙ୍କ ଦେହାନ୍ତ ପରେ ଯଦି ମଧ୍ୟ ପ୍ରାଚ୍ୟରେ ଅସ୍ଥିରତା ବୃଦ୍ଧି ପାଇବ ତେବେ ସୁନା ଦର ଆହୁରି ବୃଦ୍ଧି ପାଇପାରେ ।