fbpx

ଆଜି ପୁଣି ଆକ୍ଟିଭ ହେବ କି ଭାରତର ‘ମୁନ୍ ମିଶନ୍’? ‘ବିକ୍ରମ’କୁ ଉଠାଇବା ପାଇଁ ସିଗନାଲ ପଠାଉଛି ESA

ନୂଆଦିଲ୍ଲୀ: ଅଧାରେ ଅଟକି ରହିଛି ଭାରତର ଚନ୍ଦ୍ରଯାନ-୩ର ଲକ୍ଷ୍ୟ ବା ‘ମୁନ୍ ମିଶନ୍’ । ଚନ୍ଦ୍ରପୃଷ୍ଠରେ ଅନ୍ଧକାର ଘୋଟିଯିବାରୁ ସ୍ଲିପିଂ ମୋଡକୁ ଚାଲିଯାଇଛନ୍ତି ଲାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ । କିନ୍ତୁ ଏବେ ପୁଣିଥରେ ଚନ୍ଦ୍ରପୃଷ୍ଠରୁ ଅନ୍ଧକାର ହଟିଯାଇଛି । ପୁଣିଥରେ ଜହ୍ନ ରାଇଜରେ ହୋଇଛି ନୂଆ ସୂର୍ଯ୍ୟାଲୋକ । ତେଣୁ ଲାଣ୍ଡର ବିକ୍ରମ ସହ ପ୍ରଜ୍ଞାନକୁ ଉଠାଇବା ପାଇଁ ଇସ୍ରୋ ପ୍ରୟାସ ଜାରି ରଖିଛି । ଇସ୍ରୋ ସହିତ ୟୁରୋପୀୟ ସ୍ପେସ ଏଜେନ୍ସି ମଧ୍ୟ ବିକ୍ରମ-ପ୍ରଜ୍ଞାନକୁ ଉଠାଇ ଚନ୍ଦ୍ରମାର ବିଭିନ୍ନ ତଥ୍ୟ ହାସଲ କରିବାରେ ସାହାଯ୍ୟ କରିଛି ।

ଚନ୍ଦ୍ରପୃଷ୍ଠରେ ରାତି ପାହିବା ପରେ ଭଭାରତର ‘ମୁନ୍ ମିଶନ୍’ ପୁଣିଥରେ ଆକ୍ଟିଭ ହେବା ନେଇ ଆଶା ବାନ୍ଧି ବସିଛନ୍ତି ପୃଥିବୀବାସୀ । ଏଥିପାଇଁ ୟୁରୋପୀୟ ସ୍ପେସ ଏଜେନ୍ସିର କୋରୋଉ ଷ୍ଟେସନରୁ ଲାଣ୍ଡର ବିକ୍ରମକୁ ଲଗାତାର ସିଗନାଲ ପଠାଯାଉଛି । ତେବେ ଲାଣ୍ଡର ବିକ୍ରମ ତରଫରୁ ମଧ୍ୟ ଏହାର ଉତ୍ତର ମିଳିଛି । କିନ୍ତୁ ବିକ୍ରମ ପଠାଉଥିବା ଏହି ରେସପନ୍ସ ଖୁବ କମଜୋର ରହିଥିବା ଜାଣିବାକୁ ମିଳିଛି । ଅର୍ଥାତ୍ ଲାଣ୍ଡର ବିକ୍ରମ ନିକଟରେ ଯଥେଷ୍ଟ ପରିମାଣର ରେଡିଓ ଫ୍ରିକ୍ୱେନ୍ସି ବାହାରି ପାରୁନାହିଁ । ଆମେଚ୍ୟୁର ଆଷ୍ଟ୍ରୋନମର ସ୍କଟ ଟାଇଲି ଏ ନେଇ ଟ୍ୱିଟରେ ସୂଚନା ଦେଇଛନ୍ତି ।

Shiv Shakti Point in Sunlight

ସେ କହିଛନ୍ତି ଯେ, ଦୁଃଖଦ ଖବର, ଚନ୍ଦ୍ରଯାନ-୩ ଚ୍ୟାନେଲରେ ୨୨୬୮ ମେଗାହର୍ଜର ଉତ୍ସର୍ଜନ ହେଉଛି । ବିକ୍ରମ ଲାଣ୍ଡରର ଟ୍ରାନ୍ସପୋଣ୍ଡର ଆରଏକ୍ସ ଫ୍ରିକ୍ୱେନ୍ସିରେ ରହିଥାଏ, ତେଣୁ ଏହାକୁ ୨୪୦/୨୨୧ ହାରରେ ଫ୍ରିକ୍ୱେନ୍ସିରେ କାମ କରିବା ଉଚିତ । କିନ୍ତୁ ୨୨୬୮ ମେଗାହର୍ଜର ସିଗନାଲ ଏକ କମଜୋର ବା ଦୁର୍ବଳ ବ୍ୟାଣ୍ଡ । ଅର୍ଥାତ୍ ଚନ୍ଦ୍ରଯାନ-୩ର ଲାଣ୍ଡର ପାଖରୁ କୌଣସି ପ୍ରକାର ମଜବୁତ ସିଗନାଲ ମିଳିପାରି ନାହିଁ । ସେ ଆହୁରି କହିଛନ୍ତି ଯେ, ଲାଣ୍ଡର ବିକ୍ରମ ଲଗାତାର ଭାବରେ ଅନ୍-ଅଫ୍ ସିଗନାଲ ପଠାଇବାକୁ ଚେଷ୍ଟା ଜାରି ରଖିଛି । ଏହି ସିଗନାଲଗୁଡ଼ିକ ଲଗାତାର ଉପରତଳ ହେଉଥିବା ବେଳେ କୋରୋଉର ସିଗନାଲ ଏକଦମ ସ୍ଥିର ରହିଛି ।

ସେପଟେ ଲାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ନିଦରୁ ଉଠିଛନ୍ତି କି ନାହିଁ, ସେ ନେଇ ବର୍ତ୍ତମାନ ସୁଦ୍ଧା ଇଏସଏ କିମ୍ବା ଇସ୍ରୋ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ତେବେ ଆଜି ମଧ୍ୟାହ୍ନ ସୁଦ୍ଧା ଏ ନେଇ ଇସ୍ରୋ ସ୍ପଷ୍ଟ କରିବ ବୋଲି ଆଶା କରାଯାଉଛି । ବିକ୍ରମ ଲାଣ୍ଡର ଥିବା ସ୍ଥାନରେ ସୂର୍ଯ୍ୟକିରଣ ପଡ଼ି ସାରିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ପରେ ଜହ୍ନ ରାଇଜର ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଇସ୍ରୋକୁ ପଠାଇଛି ଲାଣ୍ଡର ବିକ୍ରମ । କିନ୍ତୁ ବର୍ତ୍ତମାନ ପୁଣିଥରେ ଚନ୍ଦ୍ରଦିବସ ଆରମ୍ଭ ହୋଇଛି ତେଣୁ ଖୁବଶୀଘ୍ର ଭାରତର ଚନ୍ଦ୍ରଯାନ-୩ ନିଜ କାମ କରିବା ମଧ୍ୟ ଆରମ୍ଭ କରିପାରନ୍ତି । ଏହାଦ୍ୱାରା ପୁଣିଥରେ ଇସ୍ରୋ ଚନ୍ଦ୍ର ସମ୍ପର୍କରେ ନୂଆ ତଥ୍ୟ ହାସଲ କରିବ ବୋଲି ଆଶା ରହିଛି ।

Get real time updates directly on you device, subscribe now.