WTC ଫାଇନାଲରୁ ବାଦ୍ ପଡ଼ିବ ରୋହିତ ସେନା! ବେଙ୍ଗଲୁରୁ ପରାଜୟ ଭାରତକୁ ଦେବ ଝଟକା, କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ: ନୁ୍ୟଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ପରାସ୍ତ ହୋଇଛି ଟିମ ଇଣ୍ଡିଆ । ବେଙ୍ଗଲୁରୁରେ ଖେଳାଯାଇଥିବା ପ୍ରଥମ ମ୍ୟାଚକୁ ହାତଛଡ଼ା କରିଛି ଭାରତ । ତେବେ ଏହି ପରାଜୟ ଭାରତକୁ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ଖେଳିବା ଉପରେ ଗମ୍ଭୀର ପ୍ରଭାବ ପକାଇପାରେ । ଏହି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଥିବା ଟିମ ଇଣ୍ଡିଆ ଫାଇନାଲରୁ ବାଦ୍ ପଡ଼ିବ ବୋଲି ମଧ୍ୟ ଆଲୋଚନା ହେଉଛି । ତେବେ କ’ଣ ରହିଛି ଏହାର ସମୀକରଣ? ଏହି ପରାଜୟ ଭାରତ ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ ।

ଏହି ଟେଷ୍ଟ ସିରିଜରେ ପ୍ରଥମ ମ୍ୟାଚ ଜିତି ୧-୦ରେ ଅଗ୍ରଣୀ ହୋଇଛି ନୁ୍ୟଜିଲାଣ୍ଡ । ମ୍ୟାଚର ପ୍ରଥମ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଯୋଗୁଁ ଏହି ମ୍ୟାଚ ହାତଛଡ଼ା କରିଛି ରୋହିତ ସେନା । ସିରିଜର ପ୍ରଥମ ମ୍ୟାଚରେ ପରାଜୟ ପରେ ଦଳର ପ୍ରଦର୍ଶନ ଉପରେ ନିରାଶା ଜାହିର କରିଛନ୍ତି ଫ୍ୟାନ୍ସ । ତେବେ ଏହି ପରାଜୟ ପରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ପାଇଁ ଭାରତୀୟ ଦଳ ଉପରେ ବିଶେଷ ପ୍ରଭାବ ପଡ଼ିବ ନାହିଁ । କିନ୍ତୁ ଫାଇନାଲରେ ପ୍ରବେଶ କରିବା ପାଇଁ ଟିମ ଇଣ୍ଡିଆକୁ କଡ଼ା ସଂଘର୍ଷ କରିବାକୁ ପଡ଼ିପାରେ । ବର୍ତ୍ତମାନ ପଏଣ୍ଟ ଟେବୁଲରେ ୬୮.୦୬ ପ୍ରତିଶତ ସହିତ ଶୀର୍ଷ ସ୍ଥାନରେ ରହିଛି ରୋହିତ ସେନା । ନୁ୍ୟଜିଲାଣ୍ଡ ବିପକ୍ଷ ଏହି ଟେଷ୍ଟ ପରାଜୟ ପୂର୍ବରୁ ଦଳ ୭୪.୨୪ ପ୍ରତିଶତ ବିଜୟ ହାରରେ ରହିଥିଲା । ତେବେ ୬୨.୫୦ ବିଜୟ ପ୍ରତିଶତ ସହିତ ଦ୍ୱିତୀୟ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ ।

ନୁ୍ୟଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପରାଜୟ ପରେ ଭାରତ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ପୂର୍ବରୁ ୭ଟି ମ୍ୟାଚ୍(ନୁ୍ୟଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ) ଖେଳିବ । ତେବେ ଫାଇନାଲରେ ପ୍ରବେଶ କରିବା ପାଇଁ ଏହି ୭ଟି ମ୍ୟାଚରୁ ଭାରତକୁ ଅତି କମରେ ୩ଟି ମ୍ୟାଚରେ ବିଜୟୀ ହେବାକୁ ପଡ଼ିବ । ଯଦି ଟିମ ଇଣ୍ଡିଆ ୪ଟି ମ୍ୟାଚରେ ବିଜୟୀ ହୁଏ, ତେବେ ଫାଇନାଲରେ ସ୍ଥାନ ପ୍ରାୟତଃ ନିଶ୍ଚିତ ହୋଇପାରିବ । କାରଣ ୩ଟି ବିଜୟ ହାସଲ କଲେ ଭାରତକୁ ଅନ୍ୟ ଦଳଗୁଡ଼ିକର ବିଜୟ/ପରାଜୟ ଉପରେ ନିର୍ଭର କରିବାକୁ ପଡ଼ିପାରେ ।

ଏହା ହେଉଛି ୨୦୨୩ ରୁ ୨୦୨୫ ପର୍ୟ୍ୟନ୍ତ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ର ତୃତୀୟ ରାଉଣ୍ଡ । ଆଇସିସି ଏହି ତୃତୀୟ ଚକ୍ର ପାଇଁ ପଏଣ୍ଟ ସିଷ୍ଟମ ସହିତ ଜଡିତ ନିୟମ ପ୍ରକାଶ କରିସାରିଛି । ଟେଷ୍ଟ ମ୍ୟାଚ୍ କୌଣସି ଦଳକୁ ବିଜୟ ପାଇଁ ୧୨ ପଏଣ୍ଟ, ମ୍ୟାଚ୍ ଡ୍ର ହେଲେ ୪ ପଏଣ୍ଟ ଏବଂ ମ୍ୟାଚ୍ ଟାଇ ରହିଲେ ୬ ପଏଣ୍ଟ ଦିଆଯିବ । ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ପ୍ରତ୍ୟେକ ଦଳକୁ ମ୍ୟାଚ୍ ଜିତିବା ପରେ ୧୦୦ ପ୍ରତିଶତ ପଏଣ୍ଟ, ଟାଇ ଉପରେ ୫୦ ପ୍ରତିଶତ, ଡ୍ର ଉପରେ ୩୩.୩୩ ପ୍ରତିଶତ ଏବଂ ପରାଜୟ ଉପରେ ଶୂନ ପ୍ରତିଶତ ପଏଣ୍ଟ ଯୋଗ କରାଯିବ । ଦୁଇଟି ମ୍ୟାଚ୍ ବିଶିଷ୍ଟ ସିରିଜରେ ମୋଟ ୨୪ ପଏଣ୍ଟ ଏବଂ ପାଞ୍ଚ ମ୍ୟାଚ୍ ସିରିଜରେ ୬୦ ପଏଣ୍ଟ ଉପଲବ୍ଧ ହେବ ।