ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସର ବରିଷ୍ଠ ନେତା ସଚିନ ପାଇଲଟ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଦେଖାଦେଇଥିବା ଶୀତଳଯୁଦ୍ଧ ଦିନକୁ ଦିନ ବଢ଼ୁଛି ପଛେ କମିବାର ନାଁ ଧରୁନାହିଁ । ବିଭିନ୍ନ ସମୟରେ ଗେହଲଟ ସରକାର ବିରୋଧରେ ପାଇଲଟ ଆକ୍ରମଣାତ୍ମକ ଆଚରଣ ଦେଖାଇ ଆସିଛନ୍ତି । ତେବେ ଏହା ମଧ୍ୟରେ ପାଇଲଟଙ୍କୁ ନେଇ ଆସିଛି ଏକ ବଡ଼ ଖବର ।
ସୂଚନା ମୁତାବକ, ଗତ ୨୦ ତାରିଖରେ ରାଜସ୍ଥାନ ପ୍ରଭାରୀ ସୁଖଜିନ୍ଦର ରନ୍ଧୱା ଜୟପୁରରେ ପହଞ୍ଚିଥିଲେ । ଏହି ଅବସରରେ ସେ କହିଥିଲେ, କଂଗ୍ରେସ କୌଣସି ନେତାଙ୍କୁ ଦଳକୁ ବାହାର କରେ ନାହିଁ । ବିଶେଷ କରି ପୁରୁଖା ନେତାଙ୍କୁ ଦଳ ଉଚିତ ସମ୍ମାନ ପ୍ରଦର୍ଶନ କରେ । ଯେଉଁମାନେ କଂଗ୍ରେସ ଛାଡ଼ି ଅନ୍ୟ ଦଳକୁ ଯାଆନ୍ତି ସେମାନଙ୍କର ଅବସ୍ଥା କ’ଣ ହୁଏ ତାହା ସମେସ୍ତ ଜାଣିଛନ୍ତି । ନିକଟରେ ପାଇଲଟ ଯେଉଁ ପଦଯାତ୍ରା ଆରମ୍ଭ କରିଥିଲେ, ତାହା ଠିକ୍ ସମୟରେ କରାଯାଇନାହିଁ । ବିଶେଷ କରି କର୍ଣ୍ଣାଟକ ନିର୍ବାଚନ ସମୟରେ ଯାତ୍ରା କରାଯିବା ଠିକ୍ ନିଷ୍ପତ୍ତି ନଥିଲା ।
ତେବେ ଗୋଟିଏ ପଟେ ରାଜ୍ୟରେ ପାଇଲଟ-ଗେହଟଲଙ୍କ ମଧ୍ୟରେ ଲଢ଼େଇ ଚାଲିଥିବା ବେଳେ ଏହି ସମୟରେ ରାଜ୍ୟ ପ୍ରଭାରୀଙ୍କର ଏଭଳି ବୟାନକୁ ନେଇ ଏକ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ହେଉଛି । କଂଗ୍ରେସ ଛାଡ଼ୁଥିବା ନେତାଙ୍କର ଅବସ୍ଥା ବହୁତ ଖରାପ ହୋଇଥାଏ ବୋଲି ରନ୍ଧୱା ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି । ତେବେ ପ୍ରଭାରୀ ପାଇଲଟଙ୍କୁ ପରୋକ୍ଷରେ ଏହି ସ୍ପଷ୍ଟିକରଣ ଦେଇଥିବା କୁହାଯାଉଛି । ଯଦି ଦଳରେ ଉପଯୁକ୍ତ ସମ୍ମାନ ନମିଳେ ଓ ଦାବି ପୂରଣ ନହୁଏ ତେବେ ପାଇଲଟ ଅନ୍ୟ ନେତାଙ୍କ ପରି ଦଳ ଛାଡ଼ି ପରିତ୍ୟାଗ କରିପାରନ୍ତି । ଏକଥା ବୋଧହୁଏ ହୃଦବୋଧ କରିପାରିଛନ୍ତି ରାଜ୍ୟ ପ୍ରଭାରୀ । ସେଥିପାଇଁ ପାଇଲଟଙ୍କୁ ପରୋକ୍ଷରେ ଆକ୍ଷେପ କରି ଚେତାଇ ଦେଇଛନ୍ତି ।