fbpx

ଜେଲ୍ ଯିବେ କି ଶାକିବ ଅଲ ହାସନ୍? ପୂର୍ବତନ ଅଧିନାୟକଙ୍କ କ୍ରିକେଟ କ୍ୟାରିୟରକୁ ନେଇ ବଡ଼ ନିଷ୍ପତ୍ତି ନେଲା BCB

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷରେ ଟେଷ୍ଟ ସିରିଜ ଖେଳୁଛନ୍ତି ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ଶାକିବ ଅଲ ହାସନ୍ । ତେବେ ଏହାଭିତରେ ତାଙ୍କ ବିରୋଧରେ ହୋଇଥିବା ହତ୍ୟା ମାମଲାକୁ ନେଇ ଶାକିବଙ୍କୁ କ୍ରିକେଟରୁ ବ୍ୟାନ୍ କରିବାକୁ ଦାବି ହୋଇଛି । ଫଳରେ ପାକିସ୍ତାନ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ଶାକିବଙ୍କ ଖେଳିବା ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ତେବେ ଏ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି ବାଂଲାଦେଶ କ୍ରିକେଟ ବୋର୍ଡ । ହତ୍ୟା ମାମଲାରେ ଶାକିବଙ୍କୁ ହେବ କି ଜେଲଦଣ୍ଡ? ଏଭଳି ଏକ ପ୍ରଶ୍ନ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବାଂଲାଦେଶ କ୍ରିକେଟ ବୋର୍ଡ ସ୍ପଷ୍ଟ ସୂଚନା ଦେଇଛି ।

ଶାକିବ ଅଲ ହାସନଙ୍କ ବିରୋଧରେ ରୁଜୁ ହୋଇଥିବା ହତ୍ୟା ମାମଲାରେ ଏବେ ବଡ଼ ନିଷ୍ପତ୍ତି ନେଇଛି ବିସିବି । ଶାକିବଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସାବ୍ୟସ୍ତ ନ ହେବା ପର୍ଯ୍ୟନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି କହିଛି ବାଂଲାଦେଶ ବୋର୍ଡ । ଶାକିବଙ୍କ ବିରୋଧରେ ଆସିଥିବା ହତ୍ୟା ଅଭିଯୋଗରେ ପୂର୍ବ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ସମେତ ମୋଟ ୫୦ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି ।
ବାଂଲାଦେଶ ପାଇଁ ଖେଳ ଜାରି ରଖିବେ କି ଶାକିବ?

ହତ୍ୟା ମାମଲାରେ ଶାକିବ ଆଶ୍ୱସ୍ତି ପାଇବା ପରେ ବାଂଲାଦେଶ ପାଇଁ ଖେଳ ଜାରି ରଖିବେ କି ନାହିଁ, ସେ ନେଇ ଖୁବ ଚର୍ଚ୍ଚା ଜୋର ଧରିଛି । ତେବେ ଏ ପ୍ରଶ୍ନର ଉତ୍ତରରେ ବାଂଲାଦେଶ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ଫାରୁକ ଅହମଦ୍ କହିଛନ୍ତି ଯେ, ଶାକିବ ବାଂଲାଦେଶ ପାଇଁ ଖେଳିବା ଜାରି ରକିବେ । ତାଙ୍କ ବିରୋଧରେ ହୋଇଥିବା ମାମଲାର ସତ୍ୟତା ସ୍ପଷ୍ଟ ହୋଇନାହିଁ । ତେଣୁ ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଶାକିବ ଅଲ ହାସନ ଖେଳିବେ ବୋଲି ବାଂଲାଦେଶ ବୋର୍ଡ ସ୍ପଷ୍ଟ କରିଛି । ଏହି ଅଭିଯୋଗ ପ୍ରମାଣ ନ ହେବା ପର୍ଯ୍ୟନ୍ତ ଶାକିବ ବାଂଲାଦେଶ ପାଇଁ ଅନ୍ୟ ସିରିଜ ମଧ୍ୟ ଖେଳିପାରିବେ ।

Get real time updates directly on you device, subscribe now.