ଭୁବେନଶ୍ୱର: ଭତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୨୬ତମ ପ୍ରତିଷ୍ଠା ଦିବସ ଅବସରରେ ସାହିତ୍ୟ ଓ ସଂସ୍କୃତି ଭିତ୍ତିକ ବାର୍ଷିକ କାର୍ୟ୍ୟକ୍ରମ ‘ଶୀତ ଉତ୍ସବ-୨୦୨୫’ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହାର ଉଦଘାଟନୀ ଉତ୍ସବରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସେ ମନଲୋଭା ଓ ମାର୍ମିକ ପରିବେଶରେ ଆୟୋଜିତ ଶୀତ ଉତ୍ସବକୁ ପ୍ରଶଂସା କରିଥିଲେ। ଋତୁ ଅନୁସାରେ ପରଂପରା ଓ ଭିନ୍ନ ଭିନ୍ନ ପର୍ବପର୍ବାଣି ମାଧ୍ୟମରେ ଆମ ସଂସ୍କୃତି ପ୍ରତିଫଳିତ ହୋଇଥାଏ ବୋଲି ସେ କହିଥିଲେ।
ପ୍ରକୃତି, ପ୍ରଗତି ଓ ସଂସ୍କୃତିର ସମନ୍ୱୟରେ ଆମ ସମାଜ ଋଦ୍ଧିମନ୍ତ ହୋଇଥାଏ ବୋଲି ସେ ତାଙ୍କ ବକ୍ତବ୍ୟରେ ମତବ୍ୟକ୍ତ କରିଥିଲେ। ବରିଷ୍ଠ ସଂଗୀତଜ୍ଞ ପଣ୍ଡିତ ହରମୋହନ ଖୁଣ୍ଟିଆ ବଶିଷ୍ଟ ଅତିଥି ଭାବେ ଯୋଗଦେଇ ସଂଗୀତର ସ୍ବର ଓ ରାଗ ମାଧ୍ୟମରେ ପ୍ରକୃତିକୁ ଉପଭୋଗ କରିବାରେ ଶାଶ୍ବତ ଓ ଚିରନ୍ତନ ଆନନ୍ଦ ମିଳିଥାଏ ବୋଲି କହିଥିଲେ। ବରିଷ୍ଠ ସାହିତ୍ୟ, ସମାଲୋଚକ ଓ ଶିକ୍ଷାବିତ୍ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ଉତ୍ସବରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରକୃତିକୁ ନେଇ ଆୟୋଜିତ ମନୋଜ୍ଞ ଶୀତ ଉତ୍ସବ ପ୍ରକୃତି ଓ ସଂସ୍କୃତି ମଧ୍ୟେର ରହିଥିବା ନିବିଡ଼ ସମ୍ପର୍କକୁ ପ୍ରତିପାଦିତ କରୁଛି । ବିଶ୍ବବିଦ୍ୟାଳୟ ପକ୍ଷରୁ ଶୀତଉତ୍ସବ ମାଧ୍ୟମରେ ସାହିତ୍ୟ ଓ ସଂସ୍କୃତି ଭିତ୍ତିକ ଶୀତଉତ୍ସବ ଛାତ୍ରଛାତ୍ରୀମାନଙ୍କୁ ପ୍ରକୃତିମନସ୍କ କରିବା ସହ ସେମାନଙ୍କର ସାଂସ୍କୃତିକ ପ୍ରତିଭା ବିକାଶ ଦିଗରେ ସହାୟକ େହବବୋଲି ମତ ଦେଇଥିଲେ।
କୁଳପତି ପ୍ରଫେସର ସ୍ବାଇଁ ତାଙ୍କ ସଭାପତିତ୍ବ ଅଭିଭାଷଣରେ ସଂଗୀତ ମାଧ୍ୟମରେ ଆମର ଆଧ୍ୟାତ୍ମବାଦୀ ଚେତନାର ବିକାଶ ହୋଇଥାଏ ଓ ଏହା ଆମକୁ ପ୍ରକୃତି ସହ ଆତ୍ମାକୁ ସଂଯୋଗ କରି ଈଶ୍ବରଙ୍କର ନିକଟତର କରିଥାଏ ବୋଲି କହିଥିଲେ। ଶୀତଉତ୍ସବ ଭଳି ଋତୁଭିତ୍ତିକ ଉତ୍ସବ ଜରିଆରେ ଛାତ୍ରଛାତ୍ରୀମାନଙ୍କର ଅନ୍ତର୍ନିହିତ କଳାଶକ୍ତିକୁ ପ୍ରତିଭାତ ଓ ପ୍ରଦର୍ଶନ କରିବା ଏହିଭଳି କାର୍ୟ୍ୟକ୍ରମର ମୂଳଲକ୍ଷ୍ୟ ବୋଲି ସେ ପ୍ରକାଶକରିଥିଲେ। ବିଶିଷ୍ଟ ଐତିହାସିକ ତଥା ବିଶ୍ବବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ଅମିୟ କୁମାର ପଟ୍ଟନାୟକ ଶୀତଉତ୍ସବ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କର ସାଂସ୍କୃତିକ ଚେତନାକୁ ସାହିତ୍ୟ, ସଂଗୀତ ଓ ନୃତ୍ୟ ମାଧ୍ୟମରେ ପ୍ରତିବିମ୍ବିତ କରିବାର ଏକ ସ୍ମରଣୀୟ ମୁହୂର୍ତ୍ତ ବୋଲି ମତଦେବା ସହ ଏହା ବିଶ୍ବବିଦ୍ୟାଳୟର ଅନନ୍ୟତାକୁ ପ୍ରକାଶକରେ ବୋଲି ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ। କୁଳସଚିବ ଶ୍ରୀମତୀ ଅନାମିକା ଅଧିକାରୀ ଶୀତଉତ୍ସବର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିବାସହ ଏହା ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ବୃଦ୍ଧିରେ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଥିଲେ।
ପ୍ରାକ୍ତନ କୁଳପତି ପ୍ରଫେସର ଶ୍ରୀ ପଟ୍ଟନାୟକଙ୍କୁ ବିଶ୍ବବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ବିଶ୍ବବିଦ୍ୟାଳୟର ସମ୍ବାଦପତ୍ରିକା ‘ସଂସ୍କୃତି’ ଓ ‘ଷ୍ଟୁଡେଣ୍ଟ କ୍ୟାଲେଣ୍ଡର’ ଲୋକାର୍ପିତ ହୋଇଥିଲା। ଉତ୍ସବରେ ସ୍ନାତକୋତ୍ତର ବିଭାଗ ମୁଖ୍ୟ ଡ. ଚକ୍ରଧର ବେହେରା ଧନ୍ୟବାଦ ଅର୍ପଣ କରିଥିବାବେଳେ କାର୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ ସହକାରୀ ପ୍ରଫେସର ଡ. ଆଶିଷ ମହାପାତ୍ର, ସାହିତ୍ୟ ଓ ସାଂସ୍କୃତିକ ଅଧିବେଶନରେ ଡ. ଜ୍ଞାନରଞ୍ଜନ ପ୍ରଧାନ ଓ ଡ. ଧୀରଜ କୁମାର ମହାପାତ୍ର ଏବଂ ଡ. ଇତିଶ୍ରୀ ସାହଙ୍କ ନିର୍ଦ୍ଦେଶନାରେ ଆୟୋଜିତ ସାଂସ୍କୃତିକ କାର୍ୟ୍ୟକ୍ରମରେ ମର୍ଦ୍ଦଳ ବିଭାଗ ପକ୍ଷରୁ ଲୋକସଂଗୀତ, ହିନ୍ଦୁସ୍ତାନୀ କଣ୍ଠ ସଂଗୀତ ବିଭାଗ ପକ୍ଷରୁ ଶୀତର ଗୀତ, ତବଲା ବିଭାଗ ପକ୍ଷରୁ ତାଳଯାତ୍ରା, ଓଡ଼ିଶୀ କଣ୍ଠ ସଂଗୀତ ବିଭାଗ ପକ୍ଷରୁ ଝୁଲଣ ଓ ଚାପଯାତ୍ରା ସଂଗୀତ, ଓଡ଼ିଶୀ ନୃତ୍ୟ ବିଭାଗ ପକ୍ଷରୁ ଗଣେଶ ବନ୍ଦନା ଓ ଶିବସ୍ତୁତି ଓ ବ୍ୟାବହାରିକ କଳା ବିଭାଗ ପକ୍ଷରୁ ଶୀତବସ୍ତ୍ରକୁ ନେଇ ଫ୍ୟାଶନ ଶୋ’ ଆୟୋଜିତ ହୋଇଥିଲା। ଏହି ଉତ୍ସବରେ ସମସ୍ତ ବିଭାଗର ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତଥିଲେ।