fbpx

ଶୀତଦିନେ ବଢ଼ିଥାଏ ହାର୍ଟ ଆଟାକର ବିପଦ, ଏପରି ନିଅନ୍ତୁ ଯତ୍ନ

ନୂଆଦିଲ୍ଲୀ: ଶୀତଦିନ ଅତ୍ୟନ୍ତ ମନୋରମ ହେବା ସହିତ ସାଙ୍ଗରେ ଅନେକ ରୋଗ ମଧ୍ୟ ଆଣିଥାଏ । ଖାସ୍ କରି ହାର୍ଟ ରୋଗୀଙ୍କ ପାଇଁ ଶୀତଋତୁ ଅତ୍ୟନ୍ତ ବିପଜ୍ଜନକ ବୋଲି କୁହାଯାଏ । ଅଧ୍ୟୟନ ମୁତାବକ, ଏହି ଋତୁରେ ହାର୍ଟ ଆଟାକ୍, ହାର୍ଟ ଫେଲିଅର ଓ ଆରିଥମିଆ ହେବାର ସମ୍ଭାବନା ବଢ଼ିଥାଏ । ଏହି ଋତୁରେ ଆମ ଶରୀର ଓ ହୃଦୟର ତାପମାତ୍ରା ସମାନ ରଖିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିଥାଏ । ଏହି କାରଣରୁ ଆମ ହୃଦୟ ଉପରେ ଅଧିକ ଚାପ ପଡିଥାଏ ଓ ଦୁର୍ବଳ ହୃଦୟ ଥିବା ଲୋକଙ୍କଠାରେ ହାର୍ଟ ଆଟାକର ବିପଦ ବଢ଼ିଥାଏ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଶୀତଦିନେ ତାପମାତ୍ରା ହ୍ରାସ ପାଇଥାଏ ଓ ଶରୀରକୁ ମାନସିକ ସ୍ତରରେ ଗରମ ରଖିବା ପାଇଁ ଏକ ସଙ୍କେତ ମିଳିଥାଏ । କମ୍ ତାପମାତ୍ରା ସ୍ନାୟୁ ପ୍ରଣାଳୀକୁ ସକ୍ରିୟ କରିଥାଏ, ଯାହା କ୍ୟାଟେକୋଲାମାଇନର ସ୍ତରକୁ ବଢ଼ାଇଥାଏ । ଏହା ରକ୍ତ ନଳୀକୁ ସଂକୁଚିତ କରିଥାଏ, ଯାହାଫଳରେ ହୃଦସ୍ପନ୍ଦନ, ବ୍ଲଡପ୍ରେସର ଓ କୋଲେଷ୍ଟ୍ରଲର ସ୍ତର ବଢ଼ିଯାଇଥାଏ । ରକ୍ତନଳୀ ସଂକୁଚିତ ହେବାରୁ ରକ୍ତ ଜମାଟ ବାନ୍ଧିଥାଏ ଓ ଏହା ହାର୍ଟଆଟାକର ବିପଦକୁ ଅଧିକ ବଢ଼ାଇଥାଏ ।

ଏହା ସହିତ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ମୁତାବକ, ‘ବାୟୁ ପ୍ରଦୂଷଣ, ଶାରୀରିକ କାର୍ଯ୍ୟକଳାପର ଅଭାବ, ମାନସିକ ଚାପ, ଖରାପ ଖାଇବା ଅଭ୍ୟାସ ଓ ଏହି ଋତୁରେ ହେଉଥିବା ଭାଇରାଲ ସଂକ୍ରମଣ କାରଣରୁ ହାର୍ଟଆଟାକ୍ ଓ ଫେଲିଅରର ସମ୍ଭାବନା ବଢ଼ିଥାଏ । ଋତୁ ପରିବର୍ତ୍ତନ ଯୋଗୁଁ ହାର୍ଟ ରୋଗୀଙ୍କ ପାଇଁ ବିପଦ ବଢ଼ିବାରେ ଲାଗିଥାଏ । ଏହା ବ୍ୟତୀତ ଏହି ଋତୁରେ ଫ୍ଲୁ ଏବଂ ନିମୋନିଆ ଭଳି ରୋଗ ହେବାର ସମ୍ଭାବନା ମଧ୍ୟ ଅଧିକ ରହିଥାଏ ।

ଶୀତଦିନେ କିପରିରେ ନେବେ ହୃଦୟର ଯତ୍ନ :

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଶୀତ ଋତୁରେ ଗରମ ପୋଷାକ, ଗ୍ଲୋଭସ୍ ଓ ଟୋପି ପିନ୍ଧି ଶରୀରକୁ ଗରମ ରଖିବା ଉଚିତ୍ । ଅତ୍ୟଧିକ ଧୂମପାନ ଓ ମଦ୍ୟପାନରୁ ଦୂରେଇ ରହିବା ଉଚିତ୍, ଯୋଗ କିମ୍ବା ଧ୍ୟାନ କରିବା ଉଚିତ୍, ଶାରୀରିକ କାର୍ଯ୍ୟକଳାପ ବୃଦ୍ଧି ହେବା ଉଚିତ୍, ଭଲ ଓ ପୂର୍ଣ୍ଣ ନିଦ ହୃଦୟକୁ ସୁସ୍ଥ ରଖିବ । ବିଶେଷଜ୍ଞମାନେ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି । ଅତ୍ୟଧିକ ଲୁଣ ଓ ମିଠା ଠାରୁ ଦୂରେଇ ରୁହନ୍ତୁ, ଫଳ ଏବଂ ସାଲାଡର ପରିମାଣ ବଢ଼ାନ୍ତୁ । ସମୟ ସମୟରେ ସ୍ୱାସ୍ଥ୍ୟ ଯାଞ୍ଚ କରିବା ଜାରି ରଖନ୍ତୁ ଓ ଯଦି ଆପଣ କୌଣସି ପ୍ରକାରର ଅସୁବିଧା ଅନୁଭବ କରନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ।

Get real time updates directly on you device, subscribe now.