ମହିଳାଙ୍କୁ ପ୍ରତି ମାସ ମିଳିବ ୨୫୦୦ ଟଙ୍କା, ୫୦୦ରେ ଗ୍ୟାସ ସିଲିଣ୍ଡର: ବଡ଼ ଘୋଷଣା
ନୂଆଦିଲ୍ଲୀ: ମହିଳାମାନଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି । ଏଣିକି ମହିଳାମାନଙ୍କୁ ପ୍ରତି ମାସ ୨୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏହାସହିତ ରୋଷେଇ ପାଇଁ ଗ୍ୟାସ ସିଲିଣ୍ଡରର ଦାମ୍ ମଧ୍ୟ କମ୍ ହୋଇଯିବ । ମାତ୍ର ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ପାଇପାରିବେ ସାଧାରଣ ଲୋକେ । ଏହାସହିତ ରାଜ୍ୟ ପରିବହନ ନିଗମର ବସରେ ମହିଳାମାନଙ୍କୁ ମାଗଣା ବସ ସେବା ଯୋଗାଇ ଦିଆଯିବା ନେଇ ମଧ୍ୟ ଘୋଷଣା କରାଯାଇଛି । ଏହାବ୍ୟତୀତ ସାଧାରଣ ବର୍ଗର ଅନ୍ୟ ଲୋକମାନଙ୍କ ପାଇଁ ମଧ୍ୟ ମୋଟ ୬ଟି ଯୋଜନା ପ୍ରଣୟନ ହେବାକୁ ଯାଉଛି ।
କଂଗ୍ରେସର ପୂର୍ବ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ତେଲେଙ୍ଗାନାରେ ଜନସଭାକୁ ସମ୍ବୋଧିତ କରିବା ସମୟରେ ଏଭଳି ଅନେକ ଘୋଷଣା କରିଛନ୍ତି । ରାଜ୍ୟରେ ତାଙ୍କ ପାର୍ଟି ସରକାର ଗଢିବା ସ୍ୱପ୍ନ ଥିଲା ବୋଲି କହିଛନ୍ତି ସୋନିଆ । ରାଜ୍ୟରେ ସରକାର ହେଲେ ପାର୍ଟି ସାଧାରଣ ଲୋକଙ୍କ ପାଇଁ ବହୁତ କିଛି କରିବ । ହାଇଦ୍ରାବାଦର ତୁକ୍କୁଗୁଡ଼ାରେ ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ‘ମହାଲକ୍ଷ୍ମୀ’ ଯୋଜନା ସମେତ ପାର୍ଟି ୬ଟି ପ୍ରତିଶ୍ରୁତି ଘୋଷଣା କରୁଛି ଯାହା ନିଶ୍ଚୟ ଭାବରେ ପୂରଣ ହେବ । କଂଗ୍ରେସ ସରକାର ଆସିଲେ ପ୍ରତ୍ୟେକ ମହିଳାଙ୍କୁ ମାସିକ ୨୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଏହାବ୍ୟତୀତ ମାତ୍ର ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଏବଂ ରାଜ୍ୟ ପରିବହନର ମସରେ ମହିଳାମାନଙ୍କୁ ମାଗଣା ଯାତ୍ରା ସୁବିଧା ମଧ୍ୟ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ସୋନିଆ ଗାନ୍ଧୀ ।
ଏହି କାର୍ଯ୍ୟକ୍ରମରେ ଜନତାଙ୍କୁ କଂଗ୍ରେସ ପାର୍ଟିକୁ ଭୋଟ ଦେବା ପାଇଁ ଅପିଲ କରିଥିଲେ ସୋନିଆ । ସେହିପରି ରାହୁଲ ଗାନ୍ଧୀ ନିଜ ସମ୍ବୋଧନରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଟାର୍ଗେଟ କରିଛନ୍ତି । ବିପକ୍ଷ ଦଳର ସମସ୍ତ ନେତାଙ୍କ ଉପରେ ବିଭିନ୍ନ ମାମଲା ରୁଜୁ ହୋଇଛି । ତେଣୁ ଏସବୁକୁ ଅତିକ୍ରମ କରି କଂଗ୍ରେସକୁ ବିଜୟୀ କରାଇବା ପାଇଁ ଜନସଭାରେ ଆହ୍ୱାନ କରିଥିଲେ ରାହୁଲ ଗାନ୍ଧୀ । ତେଲେଙ୍ଗାନାରେ କଂଗ୍ରେସ ସରକାର ଆସିଲେ ରାଜ୍ୟବାସୀମାନଙ୍କୁ ପ୍ରତିଶ୍ରୁତି ହୋଇଥିବା ସମସ୍ତ ୬ଟି ପ୍ରତିଶ୍ରୁତି ପୂରଣ କରାଯିବ ବୋଲି ରାହୁଲ ପ୍ରକାଶ କରିଛନ୍ତି ।