fbpx

କର୍ମଜୀବୀ ମହିଳା ଏପରି ନିଅନ୍ତୁ ନିଜ ସ୍ୱାସ୍ଥ୍ୟର ଯତ୍ନ

ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ କର୍ମଜୀବୀ ମହିଳାମାନେ ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଛନ୍ତି । ଘର ଏବଂ ଅଫିସ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ସେମାନଙ୍କ ପାଇଁ ଏକ ଆହ୍ୱାନ ପାଲଟିଯାଇଛି । ଉଭୟ କ୍ଷେତ୍ରରେ ଦାୟିତ୍ୱ ସମ୍ଭାଳିବା ଚକ୍କରରେ ସେମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରିଥାନ୍ତି । ଏହା ସେମାନଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା କର୍ମଜୀବୀ ମହିଳାମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ କେଉଁ ସବୁ ଟିପ୍ସ୍ ଆପଣେଇବା ଉଚିତ ଯଦ୍ୱାରା ସେମାନେ ନିଜକୁ ସୁସ୍ଥ ରଖିପାରିବେ:

୧. ଡ଼ାଏଟ୍ ଉପରେ ଫୋକସ୍: ଶରୀରକୁ ଶକ୍ତି ଯୋଗାଇବା ପାଇଁ ସନ୍ତୁଳିତ ଆହାର ଆବଶ୍ୟକ ହୋଇଥାଏ । ଅଧିକାଂଶ କ୍ଷେତ୍ରରେ କର୍ମଜୀବୀ ମହିଳାମାନେ ନିଜ ଡାଏଟ୍ ଉପରେ ବିଶେଷ ଧ୍ୟାନ ଦେଇନଥାନ୍ତି । ସେମାନଙ୍କ ଖାଇବା ସମୟ କିଛି ଠିକ୍ ନଥାଏ ଫଳରେ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡ଼ିଥାଏ । ଏହା ସହ ଯେତେ ଦୂର ସମ୍ଭବ ଫାଷ୍ଟ ଫୁଡ଼୍ ଖାଇବା ଠାରୁ ଦୂରେଇ ରହିବା ଉଚିତ ।

୨. ନିଜକୁ ହାଇଡ୍ରେଟ୍ ରଖନ୍ତୁ: କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ଅଧିକାଂଶ କର୍ମଜୀବୀ ମହିଳା ପାଣି ପିଇବା ଭୁଲି ଯାଇଥାନ୍ତି । ଏହା ଶରୀରରେ ଡିହାଇଡ୍ରେସନ ସମସ୍ୟା ସୃଷ୍ଟି କରିଥାଏ । ତେଣୁ ନିୟମିତ ବ୍ୟବଧାନରେ ଦିନକୁ ୨ରୁ ୩ ଲିଟର ପାଣି ପିଇବା ପାଇଁ ଚେଷ୍ଟା କରନ୍ତୁ । ଏହା ବ୍ୟତୀତ ଫଳ ରସ, ଦହି ଇତ୍ୟାଦି ସେବନ କରିପାରିବେ ।

୩. ସୁନିଦ୍ରା ଓ ବ୍ୟାୟାମ: ସାଧାରଣତଃ ଅଫିସ ଓ ଘର କାମ ପରେ କର୍ମଜୀବୀ ମହିଳାମାନେ ଅଧିକ କ୍ଲାନ୍ତ ହୋଇଯାଇଥାନ୍ତି । ତେଣୁ ସେମାନଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ଅତି କମରେ ୮ ଘଣ୍ଟାର ନିଦ୍ରା ଆବଶ୍ୟକ ହୋଇଥାଏ । ସକାଳୁ ଶୀଘ୍ର ଉଠି ୩୦ରୁ ୪୦ ମିନିଟ ପାଇଁ ବ୍ୟାୟାମ କିମ୍ବା ଯୋଗ କରିବା ଉଚିତ । ଏହା ଦ୍ୱାରା ଶରୀରରେ ଉର୍ଜ୍ଜା ସଂଚାର ହେବା ସହ ମନ ଫୁର୍ତ୍ତି ରହିଥାଏ ।

୪. ଷ୍ଟ୍ରେସ୍ ନିୟନ୍ତ୍ରଣ: କର୍ମଜୀବୀ ମହିଳାମାନେ ଉଭୟ ଘର ଓ ଅଫିସ କାର୍ଯ୍ୟ ମଧ୍ୟରେ ଅଧିକାଂଶ ସମୟରେ ଚାପଗ୍ରସ୍ତ ରହିଥାନ୍ତି । ଏହା ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାର କାରଣ ପାଲଟି ଥାଏ । ତେଣୁ ନିଜକୁ ଚିନ୍ତାମୁକ୍ତ ରଖିବା ପାଇଁ ଯୋଗ, ମେଡିଟେସନ୍, ବ୍ରିଦିଙ୍ଗ୍ ଏକ୍ସରସାଇଜ୍, ଗୀତ ଶୁଣିବା ସହ ନିଜ ମନ ପସନ୍ଦର କାମ କରିପାରିବେ ।

୫. ନିୟମିତ ହେଲ୍ଥ ଚେକ୍ଅପ୍: ନିଜ ସ୍ୱାସ୍ଥ୍ୟ ପ୍ରତି କେବେ ବି ହେଳା କରନ୍ତୁ ନାହିଁ । ନିୟମିତ ବ୍ୟବଧାନରେ ହେଲ୍ଥ ଚେକ୍ଅପ୍ କରାଇବା ଦ୍ୱାରା ଅନେକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାରୁ ଦୂରେଇ ରହି ପାରିବା ।

Get real time updates directly on you device, subscribe now.