ଆଜି ବିଶ୍ୱ ଅଟିଜିମ୍ ଦିବସ । ଅଟିଜିମ ରୋଗ ମସ୍ତିଷ୍କର କାର୍ଯ୍ୟ ପ୍ରଣାଳୀକୁ ପ୍ରଭାବିତ କରିଥାଏ । ମସ୍ତିଷ୍କର ବିକାଶ ସମ୍ବନ୍ଧୀୟ ରୋଗ ସାଧାରଣ ଭାବେ ଶୈଶବ ଅବସ୍ଥାରୁ ଆରମ୍ଭ ହୋଇଥାଏ । ଏହି ରୋଗର ଶିକାର ହୋଇଥିବା ଲୋକମାନଙ୍କର ଦେଖିବା, ଶୁଣିବା ଏବଂ ଅନୁଭବ କରିବାର ଲକ୍ଷଣ ଦେଖାଦେଇଥାଏ । ଅଟିଜିମ୍ ରୋଗରେ ଆକ୍ରାନ୍ତ ଶିଶୁଙ୍କ ଭାଷାର ପରିପ୍ରକାଶ ଏବଂ ଶ୍ରବଣ ଶକ୍ତି ବହୁ ପରିମାଣରେ ହ୍ରାସ ଘଟିଥାଏ ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ତଥ୍ୟ ମୁତାବିକ, ପ୍ରତି ୧୦୦ ଶିଶୁଙ୍କ ମଧ୍ୟରେ ଜଣେ ଅଟିଜିମ୍ର ଶିକାର। ଏହାଠୁ ବେଶୀ ଉଦ୍ବେଗର କଥା ହେଉଛି, କ୍ରମାଗତ ଭାବେ ଏଭଳି ଶିଶୁଙ୍କ ସଂଖ୍ୟା ବଢ଼ିଚାଲିଛି। ଅଟିଜିମ୍ ସ୍ପେକ୍ଟ୍ରମ୍ ଡିଜ୍ଅର୍ଡର ହେଉଛି ଏକ ସ୍ନାୟୁଗତ ସମସ୍ୟା। ଛୋଟ ପିଲାମାନେ ବିଶେଷ ଭାବେ ଏହି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏହି ଅବସ୍ଥାରେ ଶିଶୁର ମସ୍ତିଷ୍କ ସଠିକ୍ ଭାବରେ ବିକଶିତ ହୋଇପାରି ନ ଥାଏ। ଜନ୍ମ ସମୟରେ ଏରୋଗ ବାବଦରେ ଜଣାପଡ଼ି ନ ଥାଏ। ଧୀରେ ଧୀରେ ପିଲାଟିର ଶାରୀରିକ ଅଭିବୃଦ୍ଧି ସହ ଏହି ରୋଗର ଲକ୍ଷଣ ଦେଖାଯାଏ । ଜଣେ ବ୍ୟକ୍ତିଙ୍କର ସାରା ଜୀବନ ଏହି ଲକ୍ଷଣ ଦେଖାଦେଇପାରେ ।
ଏପରି ରୋଗରେ ପିଲାଟି କାହା ସହିତ କଥା ହୁଏ ନାହିଁ। ଆଖିରେ ଆଖି ମିଶାଇ କଥା କହିପାରେ ନାହିଁ। ସେ ଅନ୍ୟ ପିଲାଙ୍କ ସହିତ ମିଶେ ନାହିଁ। ନିଜେ ଏକା ଏକା ବସି ଖେଳେ। ଗୋଟିଏ କଥାକୁ ବାରମ୍ବାର କହେ ଓ ଗୋଟିଏ କାମକୁ ବାରମ୍ବାର କରିଥାଏ। ବର୍ଷକର ଶିଶୁକୁ ନାଁ ଧରି ଡାକିଲେ ସେ ଜାଣିପାରେ ନାହିଁ। ସେମାନଙ୍କର ଭାଷାର ବିକାଶ ବିଳମ୍ବ ହୋଇପାରେ କିମ୍ବା ଭାଷା ଅସ୍ବାଭାବିକ ହୋଇପାରେ। କଥାବାର୍ତ୍ତା କଲାବେଳେ ସେମାନେ ବିଭିନ୍ନ ଶବ୍ଦର ଠିକ୍ ଭାବରେ ବ୍ୟବହାର କରିପାରନ୍ତି ନାହିଁ। ଅଟିଜିମ୍ ରୋଗରେ ପିଲାମାନଙ୍କ ଖେଳିବାର ଶୈଳୀରେ ମଧ୍ୟ ଅସ୍ବାଭାବିକତା ଦେଖାଯାଇଥାଏ। ସେମାନେ ସାଧାରଣ ଭାବରେ ବ୍ୟବହାର ହେଉଥିବା ଖେଳଣା ସହିତ ଖେଳି ନ ଥାନ୍ତି।
ପ୍ରାରମ୍ଭିକ ଅବସ୍ଥାରେ ଅଟିଜିମ୍ ରୋଗର ଲକ୍ଷଣକୁ ଚିହ୍ନି ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରିବା ଉଚିତ। ଅଟିଜିମ୍ ପୀଡ଼ିତ ଶିଶୁଙ୍କୁ ସେନସୋରି ଇଣ୍ଟିଗ୍ରେସନ୍ ଥେରାପି, ଆର୍ଟ ଆଣ୍ଡ୍ କ୍ରାଫ୍ଟ ଥେରାପି, ସ୍ପିଚ୍ ଥେରାପି, ସ୍ପେସାଲ ଏଜୁକେସନ୍ ଏବଂ ବିଶେଷ ଭାବେ ଅକ୍ୟୁପେସନାଲ ଥେରାପିରେ ଚିକିତ୍ସା କରାଯାଇଥାଏ। ଅଭିଭାବକମାନେ ଧୈର୍ଯ୍ୟର ସହିତ ପିଲାର ଚିକିତ୍ସା କରାଇଲେ ଧୀରେ ଧୀରେ ପିଲାର ବ୍ୟବହାରରେ ଅନେକ ଉନ୍ନତି ଦେଖାଯାଇଥାଏ। ପିଲାର ସାମାଜିକ ଓ ଯୋଗାଯୋଗ ଦକ୍ଷତା ବୃଦ୍ଧି ପାଇଥାଏ। ତା’ର ଭାଷାରେ ମଧ୍ୟ ଧୀରେ ଧୀରେ ବିକାଶ ଘଟିଥାଏ।