fbpx

G-20ର ସଫଳ ଆୟୋଜନ ନେଇ ବିଶ୍ୱରେ ଭାରତର ପ୍ରଶଂସା: କେଉଁ ଦେଶର ନେତା କ’ଣ କହିଲେ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନୂଆଦିଲ୍ଲୀଠାରେ ଦୁଇଦିନିଆ ଜି-୨୦ ଶିଖର ସମ୍ମିଳନୀ ସମାପ୍ତ ହୋଇଛି । ଏହି ଅବସରରେ ସାରା ବିଶ୍ୱରେ ପିଏମ୍ ମୋଦୀ ଓ ଭାରତକୁ ଛୁଟୁଛି ଅଜସ୍ର ପ୍ରଶଂସାର ସୁଅ । ବିଶ୍ୱର ବିଭିନ୍ନ ଦେଶର ରାଷ୍ଟ୍ରନେତାଙ୍କୁ ଭାରତ ଯେଉଁ ଭଳି ଭାବେ ଆତିଥ୍ୟତା ପ୍ରଦାନ କଲା ତାହାକୁ ଭୁଲି ପାରୁନାହାନ୍ତି ସେମାନେ । ଏନେଇ ବିଶ୍ୱର ବିଭିନ୍ନ ଦେଶରୁ ଆସିଛି ପ୍ରତିକ୍ରିୟା ।

ସୂତ୍ର ମୁତାବକ, ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଭାରତର ନେତୃତ୍ୱକୁ ପ୍ରଶଂସା କରିବା ସହିତ ‘ଭାରତ ମଣ୍ଡପମ’କୁ ନେଇ ଭୂୟସୀ ପ୍ରଶଂସା କରିଛନ୍ତି । ଏଥିସହିତ ପିଏମ ମୋଦୀ ଡିଜିଟାଲ ଓ ଟେକ୍ନୋଲୋଜି କ୍ଷେତ୍ର ପାଇଁ ନେଇଥିବା ପଦକ୍ଷେପକୁ ସାବାସୀ ଦେଇଛନ୍ତି । ସେହିପରି ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ଓ ତୁର୍କୀ ରାଷ୍ଟ୍ରପତି ରେସେପ ତେୟପ ଏର୍ଡୋଗାନ ମୋଦୀଙ୍କର ଆତିଥ୍ୟତା ପାଇଁ ଧନ୍ୟବାଦ ଅର୍ପଣ କରିବା ସହିତ ଏହି ଶିଖର ସମ୍ମିଳନୀ ବିଶ୍ୱର ପାଇଁ ଏକ ଆଶିର୍ବାଦ ହେବ ବୋଲି କହିଛନ୍ତି ।

ଆଫ୍ରିକୀୟ ସଂଘକୁ ଜି-୨୦ର ସଦସ୍ୟତା ପ୍ରଦାନ ପାଇଁ ମୋଦୀଙ୍କୁ ଅନେକ ନେତା ଓ ଅନ୍ତର୍ଜାତୀୟ ମୁଦ୍ରା କୋଷ (ଆଇଏମଏଫ)ର ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଭା ଧନ୍ୟବାଦ ଅର୍ପଣ କରିଛନ୍ତି । ଆଫ୍ରିକୀୟ ସଂଘ ଏକ ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ ହୋଇଥିବା ବେଳେ ମୋଦୀଙ୍କ ସହିତ ସେ ମିଶି ଆଗକୁ ବଢ଼ିବେ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି । ଜି-୨୦ର ଥିମ୍ ‘ବସୁଧୈବ କୁଟୁମ୍ବକମ’ ସମସ୍ତଙ୍କର ଜୀବନର ମୂଲ୍ୟ ଓ ଉଜ୍ଜ୍ୱଳ ଭବିଷ୍ୟତକୁ ବଳବତ୍ତର ରଖିବ ବୋଲି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା କହିଛନ୍ତି । ଆଫ୍ରିକୀୟ ସଂଘକୁ ଜି-୨୦ରେ ସାମିଲ କରାଇବାକୁ ନେଇ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ଭାରତକୁ ପ୍ରଶଂସା କରିଛନ୍ତି । ସେହିପରି ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ମାର୍କ ରୁଟ ମଧ୍ୟ ଭାରତକୁ ପ୍ରଶଂସା କରିଛନ୍ତି । ଏଥିସହିତ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନସିୟୋ ଲୁଡା ଡି ସିଲଭା, କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥଙ୍କ ସହିତ ବହୁ ବିଶ୍ୱନେତା ଭାରତର ପ୍ରଶଂସାରେ ଶତମୁଖ ହୋଇଉଠିଛନ୍ତି ।

Get real time updates directly on you device, subscribe now.