ଭୁବନେଶ୍ୱର: ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ବିଶ୍ୱ ଅଙ୍ଗଦାନ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରୋଟାରୀ ଇଣ୍ଟରନେସନାଲ୍ର ଡିଷ୍ଟ୍ରିକ୍ ଗଭର୍ଣ୍ଣର ମନୋଜ ତ୍ରିପାଠୀ ଯୋଗଦାନ କରିଥିଲେ।
ଏହାସହ ସମ୍ମାନିତ ଅତିଥିଭାବେ ଏନ୍ଜିଓ ‘ମଦର’ ର ପ୍ରତିଷ୍ଠାତା ଟି.ଏନ୍ ପଣ୍ଡା ଯୋଗ ଦେଇ ଅଙ୍ଗଦାନର ମହତ୍ୱ ସଂପର୍କରେ ସଚେତନତାର ବାର୍ତ୍ତା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଏମେରିଟସ୍ ଜାତୀୟ ଉପାଧ୍ୟକ୍ଷ ତଥା ଦୃଷ୍ଟି ଦାନ ଆଇ ବ୍ୟାଙ୍କ୍ ଭୁବନେଶ୍ୱରର ଯୁଗ୍ମ ସଚିବ ସନ୍ଧ୍ୟା ଅଗ୍ରୱାଲ ଯୋଗ ଦେଇଥିଲେ।
କେବଳ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ତାହା ନୁହେଁ ସନ୍ଧ୍ୟା ଅଗ୍ରଓ୍ୱାଲ ଜାଳିପୋଡି ଦେଉଥିବା ଅଙ୍ଗ ଆଉ କାହାର ଜୀବନ ବଞ୍ଚାଇ ପାରେ ବୋଲି ଉପସ୍ଥିତ ବିଦ୍ୟାର୍ଥୀମାନଙ୍କୁ ଶିକ୍ଷା ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ହାଇଟେକ୍ ଗ୍ରୁପ୍ର ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ତଥା ସିଇଓ ଶୁରେଶ କୁମାର ପାଣିଗ୍ରାହୀ, ଟ୍ରଷ୍ଟି ଡକ୍ଟର
ରାକେଶ କୁମାର ପାଣିଗ୍ରାହୀ ଯୋଗ ଦେଇଥିଲେ।
ଜଣେ ବ୍ୟକ୍ତି ମୃତ୍ୟୁ ପରେ ତାର ଅଙ୍ଗଦାନ କରି କିଭଳି ୮ଜଣଙ୍କ ଜୀବନ ବଞ୍ଚାଇ ପାରିବ ଏବଂ ଏ ନେଇ ଖୁବ୍ଶୀଘ୍ର ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଅଙ୍ଗ ପ୍ରତ୍ୟାରୋପଣ ବିଭାଗ ଆରମ୍ଭ ହେବାକୁ ଯାଉଛିବୋଲି ରାକେଶ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ପ୍ରିନ୍ସିପାଲ ପ୍ରଫେସର୍ ଡ. ଦେବାନନ୍ଦ ମହାପାତ୍ର, ଡିନ୍ ଓ ନିର୍ଦ୍ଦେଶକ ପ୍ରଫେସର୍ ଡ. ରାଧାମାଧବ ତ୍ରିପାଠୀ, କର୍ଣ୍ଣ, ନାସା
ଓ ଗଳା ବିଭାଗର ମୁଖ୍ୟ ପ୍ରଫେସର୍ ଡ. ରାଜଲକ୍ଷ୍ମୀ ପାଣିଗ୍ରାହୀ ଯୋଗଦାନ କରିଥିଲେ।
ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ଦୀର୍ଘ ୧୦ ଦିନ ଧରି ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ତରଫରୁ ଆୟୋଜିତ ବିଭିନ୍ନ ପ୍ରଚାର ପ୍ରସାରତ୍ମକ କାର୍ଯ୍ୟକ୍ରମ ରଙ୍ଗୋଲି, ପ୍ଲାକାର୍ଡ, ଡିବେଟ୍, ନାଟକ ପରିବେଷଣ, ମାରାଥନ, ୱାଲ, ଡେକୋରେସନ, ସଚେତନତା ଭିଡିଓ ରିଲ୍ରେ ଅଂଶ ଗ୍ରହଣ କରିଥିବା ହାଇଟେକ୍ ଗ୍ରୁପ୍ର ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି।
ସେହିଭଳି ଏକ ୮ ବର୍ଷର ବାଳକ ଶୁଭୋଜିତ୍ ସାହୁ ମୃତ୍ୟୁ ପରେ ନିଜର ଅଙ୍ଗଦାନ କରି ୯ଜଣଙ୍କ ଜୀବନ ବଞ୍ଚାଇ ସବୁଦିନ ପାଇଁ ଅମର ହୋଇଯାଇଛି।
ଏଭଳି ମହାନତା ପାଇଁ ଏହି ଦିବସ ଅବସରରେ ତାଙ୍କ ମାତା ଶୁଭଶ୍ରୀ ସାହୁ, ପିତା ଡ. ବିଶ୍ୱଜିତ୍ ସାହୁଙ୍କୁ ସମ୍ମାନିତ କରାଯାଇଛି। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।