ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ‘ଉଡେନ୍ ସାଟେଲାଇଟ୍’ ଲଞ୍ଚ କରିଛି ଜାପାନ । ଏହାକୁ ମହାକାଶରେ ଲଞ୍ଚ କରାଯାଇଥିବା ବେଳେ ପ୍ରଥମ ଥର ଏକ ଏକ୍ସପେରିମେଣ୍ଟ କରାଯାଇଛି । ଏହା ସଫଳ ହେଲେ କାଠରେ ତିଆରି ହୋଇଥିବା ଏହି ଉପଗ୍ରହକୁ ଚନ୍ଦ୍ର ଓ ମଙ୍ଗଳ ଗ୍ରହକୁ ପଠାଯିବ । କ୍ୟୋଟୋ ୟୁନିଭରସିଟି ଓ ରିୟଲ ଇଷ୍ଟେଟ କମ୍ପାନୀ ସୁମିଟୋମୋ ଫରେଷ୍ଟ୍ରି ମିଶି ଏହାକୁ ପ୍ରସ୍ତୁତ କରିଛନ୍ତି । ହାତ ଆକାର ସହ ସମାନ ହୋଇଥିବା ଏହି ଉପଗ୍ରହ ବା ଲିଗ୍ନୋସାଟକୁ ପ୍ରଥମେ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନ ନିଆଯିବ । ତା’ପରେ ତାହାକୁ ୪୦୦ କମି ଉଚ୍ଚତା ବିଶିଷ୍ଟ ଅର୍ବିଟରେ ଛାଡ଼ି ଦିଆଯିବ । ଲଞ୍ଚିଂ ସ୍ପେସଏକ୍ସର ରକେଟ ଦ୍ୱାରା କରାଯାଇଛି ।
କାଠରେ ତିଆରି ହୋଇଥିବା ଉପଗ୍ରହ ମହାକାଶରେ ତିଷ୍ଠି ପାରୁଛି କି ନା ତାହା ଜାପାନ ଜାଣିବାକୁ ଚାହୁଁଛି । ଯଦି ଏହା ସର୍ଭାଇଭ କରେ, ତେବେ ଭବିଷ୍ୟତରେ କାଠ ସହାୟତାରେ ଚନ୍ଦ୍ର, ମଙ୍ଗଳ ପରି ଗ୍ରହରେ ମଣିଷ ପାଇଁ ଘର ନିର୍ମାଣ କରିବା ସହଜ ହୋଇଯିବ । ସାଧାରଣ ଭାବେ ଅନ୍ୟ କୌଣସି ଧାତୁ ତୁଳନାରେ କାଠ ହାଲୁକା ହେବା ସହ ରିନ୍ୟୁଏବଲ ହୋଇଥାଏ । ଯଦି ଲିଗ୍ନୋସାଟ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନ ଓ ମହାକାଶର ରେଡିଏସନକୁ ବରଦାସ୍ତ କରିନେବ, ତେବେ ଭବିଷ୍ୟତରେ ଏହା ଯଥେଷ୍ଟ ସହାୟତା କରିବ । ଏହାକୁ ଚନ୍ଦ୍ରମା ଓ ମଙ୍ଗଳ ଗ୍ରହକୁ ପଠାଯିବା ନେଇ ପ୍ରସ୍ତୁତି କରାଯାଇଛି । ଆଗାମୀ ୫୦ ବର୍ଷ ଭିତରେ ଏହି କାମ କରାଯାଇପାରେ । ନାସା ମଧ୍ୟ ଏହି ସାଟେଲାଇଟ ପ୍ରସ୍ତୁତିରେ ସହଯୋଗ କରିଥିଲା । କ୍ୟୋଟୋ ୟୁନିଭରସିଟିର ଫରେଷ୍ଟ ସାଇଣ୍ଟିଷ୍ଟ ପ୍ରଫେସର କହଛନ୍ତି ୧୯୦୦ ପ୍ରାରମ୍ଭରେ ବିମାନ କାଠରେ ତିଆରି ହୋଇଥିଲା, ତେଣୁ କାଠରେ ଉପଗ୍ରହ ତିଆରି ସମ୍ଭବ । ଯେହେତୁ ମହାକାଶରେ ତାହାକୁ ଜଳାଇବା, ସଢ଼ାଇବା ପାଇଁ ପାଣି, ପବନ, ଅକ୍ସିଜେନ କି ନିଆଁ ନାହିଁ, ତେଣୁ କାଠ ମହାକାଶରେ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରିବ ।