୨୫୦ ଗ୍ରାମ ଲୁଣର ଦାମ୍ ୭୫୦୦ ଟଙ୍କା, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଯୋଗାଏ ଖଣିଜ ପଦାର୍ଥ
କୋରିଆନ୍ ବାମ୍ବୁ ସଲ୍ଟ କିଲୋ ପିଛା ୩୦ ହଜାର ଟଙ୍କାରେ ହେଉଛି ବିକ୍ରି । ଏହା ଦୁନିଆର ସବୁଠାରୁ ଦାମୀ ଲୁଣ ।
ଓଡ଼ିଶା ଭାସ୍କର: ଆମେ ଖାଉଥିବା ଖାଦ୍ୟ ସାମଗ୍ରୀ ଭିତରୁ ସବୁଠାରୁ କମ୍ ଦାମରେ ମିଳୁଥିବା ଜିନିଷଟି ହେଲା ଲୁଣ । ବଜାରରେ ବର୍ତ୍ତମାନ ବିଭିନ୍ନ ଭେରାଇଟିର ଲୁଣ ବିକ୍ରି ହେବା ଆରମ୍ଭ ହୋଇଛି । ଯାହାର ଦାମ୍ ୧୦୦ରୁ ୨୦୦ ଟଙ୍କା ରହିଛି । କିନ୍ତୁ ଆପଣ କେବେ ହଜାର ଟଙ୍କିଆ ଲୁଣ କିଣି ଖାଇଛନ୍ତି କି?
ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ ଯେ ଦୁନିଆରେ ହଜାର ହଜାର ଟଙ୍କାରେ ଲୁଣ ବିକ୍ରି ହେଉଛି । ଦୁନିଆର ସବୁଠୁ ଦାମୀ ଲୁଣ କୋରିଆରେ ବିକ୍ରି ହେଉଛି । ଏହି ଲୁଣ ୨୫୦ ଗ୍ରାମର ମୂଲ୍ୟ ୭୫୦୦ ଟଙ୍କା । ଏହି ଲୁଣର ନାମ ବାମ୍ବୁ ସଲ୍ଟ ।
ସ୍ୱତନ୍ତ୍ର ବିଧି : ଏହି ଦାମୀ ଲୁଣକୁ ତିଆରି କରିବାର ଏକ ସ୍ୱତନ୍ତ୍ର ବିଧି ରହିଛି । ଏହି ଲୁଣକୁ କୋରିଆନ୍ ବାଉଁଶ ଲୁଣ, ବେଙ୍ଗନି ବାଉଁଶ ଲୁଣ, ଜୁଗ୍ୟମ ବୋଲି କୁହାଯାଏ । ଏହି ଲୁଣ କିଲୋ ପ୍ରତି ୩୦ ହଜାର ଟଙ୍କାରେ ବିକ୍ରି କରାଯାଉଛି ।
କୋରିଆନ ବାମ୍ବୁ ସଲ୍ଟ ତିଆରି ପାଇଁ ସମୁଦ୍ର ଲୁଣକୁ ବାଉଁଶ ନଳାରେ ରଖି, ଉଚ୍ଚ ତାପମାତ୍ରାରେ ଏକାଧିକ ଦିନ ରଖି ଭଜା ଯାଏ, ଯାହାକୁ ଏମେଥିଷ୍ଟ ବାମ୍ବୁ ବୋଲି କୁହାଯାଏ । ୮୦୦ ଡିଗ୍ରୀ ସେଲସିୟସରୁ ୧୦୦୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଏହି ଲୁଣକୁ ଭାଜାଯାଏ । ଏପରି କରିବା ଦ୍ୱାରା ବାଉଁଶରେ ଥିବା ଖଣିଜ ଲୁଣ ସମୁଦ୍ର ଲୁଣ ସହିତ ମିଶିଯାଏ ।
ରୋଗ ପ୍ରତିରୋଧକ ଶକ୍ତି : ଏହି ଲୁଣ ପ୍ରସ୍ତୁତ କରିବା ପାଇଁ ଅତିକମରେ ୫୦ ଦିନ ଲାଗେ । ଏହି ବିଶେଷ ପ୍ରକାର ଲୁଣ ତିଆରି କରିବା ପାଇଁ କୌଶଳୀ କାରିଗରଙ୍କ ଆବଶ୍ୟକତା ରହିଛି । ଯେଉଁ କାରଣରୁ ଏହି ଲୁଣର ଦାମ୍ ସବୁଠୁ ଅଧିକ ହୋଇଥାଏ ।
ଏହି ଲୁଣରେ ପୋଟାସିୟମ୍, କ୍ୟାଲ୍ସିୟମ୍, ମ୍ୟାଗ୍ନେସିୟମ୍ ଭଳି ଖଣିଜ ପଦାର୍ଥ ରହିଥାଏ । ଶରୀରରେ ଆଣ୍ଟି ଅକ୍ସିଡାଣ୍ଟ ତିଆରି କରିଥାଏ ଏହି କୋରିଆନ୍ ଲୁଣ । ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଶରୀରରେ ହଜମ ପକ୍ରିୟାକୁ ସହଜ କରିଥାଏ ।