fbpx

ଭାଇରସ୍ ବ୍ୟାପିବା ପୂର୍ବରୁ କରୋନା ଆକ୍ରାନ୍ତ ହୋଇଥିଲେ ଉହାନ ଲ୍ୟାବର ୩ ଗବେଷକ

ନୂଆଦିଲ୍ଲୀ: ଆମେରିକାର ଗୁଇନ୍ଦା ବିଭାଗ କରିଛି ଏକ ବଡ଼ ପର୍ଦ୍ଦାଫାସ । ଖୋଲିଛି ଚୀନର ଗୁମର । ସାରା ବିଶ୍ୱକୁ କଲବଲ କରୁଥିବା କରୋନା ଭାଇରସ୍ ଚୀନର ଉହାନ ଲ୍ୟାବରୁ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଆସୁଥିବାବେଳେ ଆମେରିକାର ଗୁପ୍ତଚର ସଂସ୍ଥା ଏକ ଆଶ୍ଚର୍ଯ୍ୟଜନକ ବିଷୟ ପ୍ରକାଶ କରିଛି । ସୂଚନା ଅନୁସାରେ ଉକ୍ତ ଉହାନ ଲ୍ୟାବରେ ଗବେଷକ ଥିବା ୩ ଜଣ ବ୍ୟକ୍ତି କରୋନା ଭୂତାଣୁ ବ୍ୟାପିବା ପୂର୍ବରୁ ହିଁ ନିଜେ ରୋଗଗ୍ରସ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ ।

ଆମେରିକାର ତଥ୍ୟ ଅନୁସାରେ ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ୩ ଜଣ ଗବେଷକ କରୋନା ସଂକ୍ରମଣ ବ୍ୟାପିବା ପୂର୍ବରୁ ରୋଗଗ୍ରସ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଆମେରିକାର ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରେ ଏ ସମ୍ପର୍କରେ ବିସ୍ତୃତ ଖବର ପ୍ରକାଶ ପାଇଛି । ଉକ୍ତ ରିପୋର୍ଟ ଅନୁସାରେ ୨୦୧୯ ନଭେମ୍ବର ମାସରେ ସମ୍ପୃକ୍ତ ୩ ଜଣ ଚୀନ୍ ଗବେଷକ ରୋଗଗ୍ରସ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏହି ରୋଚକ ତଥ୍ୟ ପ୍ରକାଶ ପାଇବା ପରେ ଚୀନର ଉହାନ ଲ୍ୟାବରୁ ହିଁ କରୋନା ଭାଇରସ୍ ବିଶ୍ୱକୁ ବ୍ୟାପିଥିବା ଦାବି ପୁଣି ଜୋର୍ ଧରିଛି ଓ ଚୀନର ଚାଲାକି ଧରାପଡ଼ିଛି ବୋଲି ଚର୍ଚ୍ଚା ହେଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ସ୍ୱତନ୍ତ୍ର ଟିମ୍ ଗତ ସୋମବାରରୁ କୋଭିଡ୍-୧୯ର ସୃଷ୍ଟି ଓ ଏଥିସହ ସମ୍ପୃକ୍ତ ବିଷୟବସ୍ତୁ ଉପରେ ଯାଞ୍ଚ କରୁଥିବାବେଳେ ଆମେରିକାର ଏଭଳି ନୂଆ ରିପୋର୍ଟ ସାମ୍ନାକୁ ଆସିଛି । ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା କାଉନସିଲ୍ ପ୍ରବକ୍ତା ଏହି ରିପୋର୍ଟ ବିଷୟରେ କିଛି ମତ ଦେଇନଥିଲେ ମଧ୍ୟ କହିଛନନ୍ତି ଯେ ବାଇଡେନ୍ ସରକାର କରୋନାର ସୃଷ୍ଟି ଓ ଏଥିସହ ଚୀନର ସମ୍ପୃକ୍ତି ଥିବା ଅଭିଯୋଗକୁ ନେଇ ଚାଲିଥିବା ଯାଞ୍ଚକୁ ଗୁରୁତ୍ୱର ସହିତ ନେଉଛନ୍ତି । ଉଲ୍ଲେଖଯୋଗ୍ୟଯେ ଏହା ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଟିମ୍ ଚଳିତବର୍ଷ କରୋନା ମହାମାରୀ ସହ ସମ୍ପୃକ୍ତ ତଥ୍ୟ ଜାଣିବା ପାଇଁ ଉହାନ ଗସ୍ତ କରିଥିଲା । ସେଠାରୁ ଫେରିବା ପରେ ସେମାନେ କହିଥିଲେ ଯେ ଉହାନ୍ ଲ୍ୟାବରୁ ହିଁ କରୋନା ଭାଇରସ୍ ସାରା ବିଶ୍ୱକୁ ବ୍ୟାପିଛି ବୋଲି ସେମିତି କିଛି ଯଥେଷ୍ଟ ପ୍ରମାଣ ନାହିଁ ।

ଅନ୍ୟପକ୍ଷରେ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଉହାନ ଲ୍ୟାବର ଗବେଷକଙ୍କ ସମ୍ପର୍କରେ ତଥ୍ୟ ରଖୁଥିବା ଅନେକ ବିଶେଷଜ୍ଞ ଓ ଲ୍ୟାବର ପୂର୍ବତନ ଅଧିକାରୀମାନେ ଆମେରିକାର ଦାବିକୁ ସମର୍ଥନ ଦେଇଛନ୍ତି । ଏଥିସହ ଏହାର ବିଶେଷ ଯାଞ୍ଚ ପାଇଁ ଦାବି କରିଛନ୍ତି । ସେପଟେ ୱାଶିଂଟନରେ ଥିବା ଚୀନ୍ ଦୂତାବାସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନି । ସୂଚନା ଥାଉ କି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମୟରେ ଉହାନ୍ ଲ୍ୟାବରୁ ହିଁ କରୋନା ବିଶ୍ୱକୁ ବ୍ୟାପିଥିବା ଦାବି କରାଯାଇଥିଲା ।

Get real time updates directly on you device, subscribe now.