ୱାଶିଂଟନ,୨୪ା୭: କିମ୍ବଦନ୍ତୀ ଆମେରିକୀୟ WWE ରେସଲର ହଲ୍କ ହୋଗାନଙ୍କର ଫ୍ଲୋରିଡାସ୍ଥିତ ବାସଭବନରେ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା । ଗୁରୁବାର ସକାଳେ ହାର୍ଟଆଟାକରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ୧୧ ଅଗଷ୍ଟ ୧୯୫୩ରେ ଜର୍ଜିଆର ଅଗଷ୍ଟାରେ ଜନ୍ମଗ୍ରହଣ କରିଥିବା ହଲ୍କ ବୃତ୍ତିଗତ କୁସ୍ତି ଇତିହାସର ସବୁଠାରୁ ପ୍ରତିଷ୍ଠିତ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରୁ ଜଣେ ଥିଲେ।
କିଛିଦିନ ଧରି ଚର୍ଚ୍ଚା ହେଉଥିଲା ଯେ, ହଲ୍କ ହୋଗାନଙ୍କ ଦେହାନ୍ତ ହୋଇଛି । ତେବେ ତାଙ୍କ ଦେହାନ୍ତ ଖବରକୁ ତାଙ୍କ ସ୍ତ୍ରୀ ସ୍କାଏ ଏହି ଖବରକୁ ଖଣ୍ଡନ କରିବା ସହ ଏହାକୁ ଗୁଜବ ବୋଲି କହିଥିଲେ । ସେ ଏହା ମଧ୍ୟ କହିଥିଲେ କି ତାଙ୍କର ହାର୍ଟ ଅପରେସନ ହୋଇଛି । କିନ୍ତୁ ଆଜି ସତକୁ ସତ ତାଙ୍କର ଦେହାନ୍ତ ହୋଇଛି ।
ଏନେଇ WWE ହଲ୍କ ହୋଗାନଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇ ‘ଏକ୍ସ’ରେ ପୋଷ୍ଟ କରିଛି। ଏଥିରେ ଲେଖାଯାଇଛି, ‘WWE ହଲ୍ ଅଫ୍ ଫେମର ହଲ୍କ ହୋଗାନଙ୍କ ମୃତ୍ୟୁ ଜାଣି ଦୁଃଖିତ। ପପ୍ ସଂସ୍କୃତିର ସବୁଠାରୁ ଲୋକପ୍ରିୟ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରୁ ଜଣେ, ହୋଗାନ ୧୯୮୦ ଦଶକରେ WWEକୁ ବିଶ୍ୱସ୍ତରୀୟ ମାନ୍ୟତା ପାଇବାରେ ସାହାଯ୍ୟ କରିଥିଲେ। WWE ହୋଗାନଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା ଜଣାଉଛି।’
WWE is saddened to learn WWE Hall of Famer Hulk Hogan has passed away.
One of pop culture’s most recognizable figures, Hogan helped WWE achieve global recognition in the 1980s.
WWE extends its condolences to Hogan’s family, friends, and fans.
— WWE (@WWE) July 24, 2025
ସୂଚନାଯୋଗ୍ୟ, ଜୁନ୍ ମାସରେ ହଲ୍କ ହୋଗାନର ବଡ଼ ହାର୍ଟ ଅପରେସନ୍ ହୋଇଥିଲା।