fbpx

Top-10ରେ ଏଣ୍ଟ୍ରି କଲେ ଯଶସ୍ୱୀ: ICC ରାଙ୍କିଙ୍ଗରେ ଶୁଭମନଙ୍କୁ ଫାଇଦା, ଖସିଲେ ଋତୁରାଜ

ନୂଆଦିଲ୍ଲୀ: ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ ବର୍ତ୍ତମାନ ନୂଆ ରାଙ୍କିଙ୍ଗ ଲିଷ୍ଟ ଜାରି କରିଛି । ଏହି ତାଲିକାରେ ବେଶ୍ ଫାଇଦା ହାସଲ କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ଯଶସ୍ୱୀ ଜଏସ୍ୱାଲ । ଏହାବ୍ୟତୀତ ଜିମ୍ବାୱେ ବିପକ୍ଷରେ ନେତୃତ୍ୱ ନେଇଥିବା ଶୁଭମନ ଗିଲ୍ ମଧ୍ୟ ଦମଦାର ଲାଭ ପାଇଛନ୍ତି । ଉଭୟ ଓପନର ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜରେ ଦମଦାର ପ୍ରଦର୍ଶନ କରିଛନ୍ତି । ଯାହାପରେ ଆଇସିସି ତରଫୁ ଉଭୟଙ୍କୁ ବଡ଼ ପୁରସ୍କାର ପ୍ରଦାନ କରାଯାଇଛି । ବର୍ତ୍ତମାନ ଟି-ଫର୍ମାଟରେ ବେଶ୍ ଫାଇଦା ହାସଲ କରିଛନ୍ତି ଯଶସ୍ୱୀ ଜଏସ୍ୱାଲ ଏବଂ ଶୁଭମନ ଗିଲ୍ ଏହି ତାଲିକାରେ ଉପରକୁ ଲମ୍ଫ ଦେଇଛନ୍ତି ।

ନୂଆ ରିପୋର୍ଟ ଅନୁସାରେ, ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜରେ ଷ୍ଟାର ଓପନର ଯଶସ୍ୱୀ ଦମଦାର ବ୍ୟାଟିଂ କରି ମୋଟ ୧୪୧ ରନ୍ ସଂଗ୍ରହ କରିଥିଲେ । ତେବେ ବର୍ତ୍ତମାନ ଆଇସିସି ରାଙ୍କିଙ୍ଗରେ ବଡ଼ ଲମ୍ଫ ଦେଇ ସିଧା ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି ଯଶସ୍ୱୀ । ଏହାବ୍ୟତୀତ ଶୁଭମନ ଗିଲ୍ ମଧ୍ୟ ଏହାର ଫାଇଦା ପାଇଛନ୍ତି । ଜିମ୍ବାୱେ ବିପକ୍ଷ ସିରିଜରେ ସର୍ବାଧିକ ସ୍କୋର କରିଛନ୍ତି ଗିଲ୍ । ୫ଟି ଇନିଂସରେ ୧୭୦ ରନ୍ କରିବା ପରେ ଗିଲ୍ ୩୬ ସ୍ଥାନ ଉପରକୁ ଚଢି ବର୍ତ୍ତମାନ ୩୭ ନମ୍ବରରେ ପହଞ୍ଚିଛନ୍ତି । ଏହି ସ୍ଥାନରେ ପହଞ୍ଚିବାରେ ଗିଲ୍ ଭାରତର ଚତୁର୍ଥ ଖେଳାଳି ପାଲଟିଛନ୍ତି । ନିକଟରେ ଟି-୨୦ ଫର୍ମାଟରୁ ବିଦାୟ ନେଇଥିବା ରୋହିତ ଶର୍ମା(୫୧) ଏବଂ ବିରାଟ କୋହଲି(୪୨)ଙ୍କୁ ପଛରେ ପକାଇ ଆଗକୁ ଯାଇଛନ୍ତି ଶୁଭମନ ଗିଲ୍ । ତେବେ ତାଲିକାର ଟପ୍-୧୦ ଭିତରେ ଭାରତର ୩ ଜଣ ଖେଳାଳି ସାମିଲ ରହିଛନ୍ତି । ଦ୍ୱିତୀୟ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଥିବା ବେଳେ ଷଷ୍ଠରେ ଯଶସ୍ୱ ଜଏସ୍ୱାଲ ଏବଂ ଅଷ୍ଟମରେ ଋତୁରାଜ ଗାଏକ୍ୱାଡ ରହିଛନ୍ତି ।

ICCicc

ଜିମ୍ବାୱେର ଫାଷ୍ଟ ବୋଲର ବ୍ଲେସିଙ୍ଗ ମୁଜାରବାନୀ ଭାରତ ବିପକ୍ଷରେ ୬ ୱିକେଟ ହାସଲ କରି ଟି-୨୦ ବୋଲର ତାଲିକାରେ ୧୧ ସ୍ଥାନ ଉପରକୁ ଉଠି ୪୪ ନମ୍ବରରେ ପହଞ୍ଚିଛନ୍ତି । ତେବେ ୱାଶିଂଟନ୍ ସୁନ୍ଦର ୩୬ ସ୍ଥାନ ଉପରକୁ ଉଠି ୪୬ ନମ୍ବରରେ ପହଞ୍ଚିଥିବା ବେଳେ ମୁକେଶ କୁମାର ୨୧ ସ୍ଥାନ ଉପରକୁ ଉଠି ୭୩ ନମ୍ବରକୁ ପହଞ୍ଚିଛନ୍ତି । ନିକଟରେ ଜିମ୍ବାୱେ ବିପକ୍ଷରେ ୪-୧ ରେ ସିରିଜ ବିଜୟୀ ହୋଇଛି ଟିମ ଇଣ୍ଡିଆ । ଇଂଲଣ୍ଡର ଷ୍ଟାର ସ୍ପିନର ଆଦିଲ ରାସିଦ ଟି-୨୦ ବୋଲର ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି । ଏହାପରେ ଦ୍ୱିତୀୟ ସ୍ଥାନରେ ଏନରିକ ନୋକିଆ ଏବଂ ତୃତୀୟ ସ୍ଥାନରେ ୱାନିନ୍ଦୁ ହସରଙ୍ଗା ରହିଛନ୍ତି ।

Get real time updates directly on you device, subscribe now.