ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲ, ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ମାତ୍ର ୧୦ ରନ୍ କରି ପାଭିଲିୟନ୍ ଫେରିଛନ୍ତି । କିନ୍ତୁ ଏହି ୧୦ ରନ୍ ଭିତରେ ହିଁ ଏକ ବିରାଟ ଇତିହାସ ସୃଷ୍ଟି କରିଛନ୍ତି ଯଶସ୍ୱୀ । ଆଜିର ଇନିଂସରେ ୧୦ ରନ୍ କରିବା ସହ ଟେଷ୍ଟ କ୍ରିକେଟର ମହାନତମ ବ୍ୟାଟର ଡନ୍ ବ୍ରାଡମ୍ୟାନଙ୍କ ଏକ ବିରଳ ରେକର୍ଡ କ୍ଲବରେ ସେ ନିଜ ନାମ ସାମିଲ କରିଛନ୍ତି । ଗତବର୍ଷ ଡେବ୍ୟୁ କରିଥିବା ଜଏସ୍ୱାଲ କ୍ୟାରିୟରର ପ୍ରଥମ ବର୍ଷରେ ହିଁ ବିଶାଳ ରେକର୍ଡର ଅଧିକାରୀ ହୋଇଛନ୍ତି ।
ଗତବର୍ଷ ଜୁଲାଇରେ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟରେ ଦମଦାର ଡେବ୍ୟୁ କରିଥିଲେ ଯଶସ୍ୱୀ ଜଏସ୍ୱାଲ । ତେବେ ଡେବ୍ୟୁ ପରେ ଚଳିତ ବାଂଲାଦେଶ ବିପକ୍ଷ ଟେଷ୍ଟରେ ସେ ନିଜ ଦଶମ ଟେଷ୍ଟ ମ୍ୟାଚରେ ପାଦ ଦେଇଛନ୍ତି । ଚେନ୍ନାଇର ଚିପାକ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଦମଦାର ଅର୍ଦ୍ଧଶତକୀୟ ପାଳି ଖେଳୁଛନ୍ତି ଯଶସ୍ୱୀ । କିନ୍ତୁ ଦ୍ୱିତୀୟ ଇନିଂସରେ ସେ ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି । ମାତ୍ର ୧୦ ରନ୍ କରି ସେ ପାଭିଲିୟନ୍ ଫେରିଛନ୍ତି । ଏହି ୧୦ ରନ୍ ସହିତ ସେ ଭେଟେରାନ୍ କ୍ରିକେଟ ଡନ୍ ବ୍ରାଡମ୍ୟାନଙ୍କ ଏକ ସ୍ପେଶାଲ ରେକର୍ଡ ତାଲିକାରେ ସ୍ଥାନ ପାଇଛନ୍ତି । କ୍ୟାରିୟରର ପ୍ରଥମ ଟେଷ୍ଟରେ ସର୍ବାଧିକ ସ୍କୋର କରିବା ତାଲିକାରେ ସେ ଏହି ରେକର୍ଡ ସୃଷ୍ଟି କରିଛନ୍ତି । ଏହି ତାଲିକାରେ ଭାରତର ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କରଙ୍କୁ ପଛରେ ପକାଇଛନ୍ତି ଯଶସ୍ୱୀ ଜଏସ୍ୱାଲ ।
ପ୍ରଥମ ୧୦ଟି ଟେଷ୍ଟରେ ସର୍ବାଧିକ ରନ୍ କରିବାରେ ଶୀର୍ଷରେ ରହିଛନ୍ତି ଡନ୍ ବ୍ରାଡମ୍ୟାନ୍ । ଡେବ୍ୟୁର ୧୦ଟି ମ୍ୟାଚ୍ ଭିତରେ ସେ ମୋଟ ୧୪୪୬ ରନ୍ ସଂଗ୍ରହ କରିଛନ୍ତି । ତେବେ ଯଶସ୍ୱୀ ଆଜିର ମ୍ୟାଚରେ ୧୦ ରନ୍ କରିବା ସହ ମୋଟ ୧୦୯୪ କରିବାରେ ସଫଳ ହୋଇଛନ୍ତି । ଏହାସହିତ ଭାରତୀୟ ଖେଳାଳିଙ୍କ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ଯଶସ୍ୱୀ । ତେବେ ବିଶ୍ୱର ସମସ୍ତ ଖେଳାଳିଙ୍କ ତାଲିକାରେ ଜଏସ୍ୱାଲ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି ।
ଡେବ୍ୟୁ ମ୍ୟାଚ୍ ସମେତ ୧୦ଟି ଟେଷ୍ଟରେ ସୁନୀଲ ଗାଭାସ୍କର ସର୍ବାଧିକ ୯୭୮ ରନ୍ କରିଥିଲେ । ଏହାସହିତ ଭାରତୀୟ ଖେଳାଳିଙ୍କ ତାଲିକାରେ ଶୀର୍ଷ ସ୍ଥାନ ମଧ୍ୟ ତାଙ୍କ ନାମରେ ରହିଥିଲା । କିନ୍ତୁ ବାଂଲାଦେଶ ବିପକ୍ଷ ସିରିଜର ପ୍ରଥମ ଟେଷ୍ଟ ସହିତ ଯଶସ୍ୱୀ ତାଲିକାର ଶୀର୍ଷ ସ୍ଥାନରେ ନିଜ ନାମକୁ ସାମିଲ କରିଛନ୍ତି । ଅଧିନାୟକ ରୋହିତଙ୍କ ସହ ଯଶସ୍ୱୀ ଜଏସ୍ୱାଲ ଟିମ ଇଣ୍ଡିଆ ପାଇଁ ଦମଦାର ଇନିଂସ ଖେଳି ଚାଲିଛନ୍ତି । ତେଣୁ ଆଗକୁ ଯଶସ୍ୱୀ ଆହୁରି ଅନେକ ରେକର୍ଡ ଭାଙ୍ଗିବେ ବୋଲି ଆଶା କରାଯାଉଛି ।