ଭୁବନେଶ୍ୱର: ରାଜ୍ୟର କେତେକ ସ୍ଥାନରେ ଆଜି ସକାଳେ ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ଅନ୍ୟ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇଛି । କଟକ, ପାରାଦୀପ, ଖୋର୍ଦ୍ଧା, ଚାନ୍ଦବାଲି, ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଢେଙ୍କାନାଳରେ ଘନକୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା କଟକ, ପାରାଦୀପ ଓ ଖୋର୍ଦ୍ଧାରେ ୫୦ ମିଟର ରହିଥିବାବେଳେ ଚାନ୍ଦବାଲି, ଜଗତସିଂହପୁର, ଓ କେନ୍ଦ୍ରାପଡାରେ ୧୦୦ ମିଟର ଏବଂ ଢେଙ୍କାନାଳରେ୧୫୦ ମିଟର ରହିଛି ।
ଅନ୍ୟପଟେ ରାଜ୍ୟରେ ଘନ କୁହୁଡ଼ି ପାଇଁ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୭ଟି ଜିଲ୍ଲାରେ ଆଜି ରାତି ଓ କାଲି ସକାଳ ଯାଏଁ ଘନ କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି । ଏ ନେଇ ପାଣିପାଗ ପକ୍ଷରୁ ଏହି ସବୁ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୧୦ ଦଶମିକ ୫ ଡ଼ିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି । ଅନ୍ୟପକ୍ଷରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିଛି । ଏ ନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
ଏହା ସହ ଆସନ୍ତାକାଲି ଓ ପଅରଦିନ କିଛି ଜିଲ୍ଲା ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । କାଲି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ୧୮ରେ ବି ସମ୍ପୃକ୍ତ ୭ଟି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।