ବଲାଙ୍ଗୀର: ଆଜି ମଧ୍ୟ ଆମ ସମାଜରେ ଜାତିପ୍ରଥାର ବ୍ୟାଧି ନିଜ ଅସ୍ତିତ୍ୱ ଜାହିର କରିଛି । ଆଜି ମଧ୍ୟ ଜାତି ଆଗରେ ସବୁ ଫିକା, ଏମିତି କି ରକ୍ତ ସମ୍ପର୍କ ମଧ୍ୟ । ଯାହାର ପରିଣାମ ଭୋଗିବାକୁ ପଡିଛି ସ୍ୱାମୀଙ୍କୁ ହରାଇଥିବା ଅସହାୟ ସ୍ତ୍ରୀକୁ । ଏମିତି ଘଟଣା ଘଟିଛି ବଲାଙ୍ଗୀର ବେଳପଡା ଗ୍ରାମରେ ।
ଗ୍ରାମର ରଞ୍ଜିତ ମିଶ୍ର ସେହି ଗ୍ରାମର ଅନ୍ୟ ଜାତିର ଝିଅ ସବିତା ସିଂହ ବାବୁଙ୍କୁ ପ୍ରେମ କରିଥିଲେ । ଉଭୟଙ୍କ ଭିତରେ ଜାତିଗତ ପାର୍ଥକ୍ୟ ଥିବାରୁ ଉଭୟ, ଜାତି ଓ ସମାଜକୁ ଅଣଦେଖା କରି ବିବାହ କରିଥିଲେ । ଏହି ଘଟଣା ପରେ ଉଭୟଙ୍କ ପରିବାର ସେମାନଙ୍କ ସହ ସମ୍ପର୍କ ଚ୍ଛିନ୍ନ କରିଦେଇଥିଲେ । ଉଭୟ ଯେନତେନ ପ୍ରକାର ଦିନ ଅତିବାହିତ କରିଚାଲିଥିଲେ । ହେଲେ ସେମାନଙ୍କ ସୁଖ ସହିଲେନି ଭଗବାନ ।
ଶନିବାର ହଠାତ୍ ରଞ୍ଜିତ ଅସୁସ୍ଥ ହୋଇପଡିଲେ । ଭୀମ ଭୋଇ ମେଡିକାଲ ଓ ବୁର୍ଲାରେ ଚିକିତ୍ସା କରାଯାଇଥିଲେ ମଧ୍ୟ ରଞ୍ଜନଙ୍କ ମୃତ୍ୟୁ ହୋଇଥିଲା । ପତ୍ନୀ ସବିତା ଏକାକୀ ହୋଇପଡିଥିଲେ । ସବୁ ଦମ୍ଭ ସ୍ୱାମୀଙ୍କ ସହ ହଜିଗଲା । ବିକଳରେ ବାପଘରକୁ ନିଜ ଦୁଃଖ ବିଷୟରେ ଖବର ଦେଲେ, କିନ୍ତୁ କିଛି ଫଳ ମିଳିଲାନାହିଁ । ତାପରେ ଭୟରେ ରଞ୍ଜନଙ୍କ ପରିବାରକୁ ଖବର ପଠାଇଲେ । ଉଭୟ ପରିବାର ଖବର ପାଇଲେ ସିନା ହେଲେ କେହି ଆସି ଠିଆହେଲେନି ସବିତାଙ୍କ ପାଖରେ । ସେମାନଙ୍କ ପାଇଁ ବଡ ହୋଇଥିଲା ଜାତି ଓ ସମାଜ । ସେମାନଙ୍କୁ ଥିଲା ସମାଜରୁ ବାସନ୍ଦ ହେବାର ଭୟ ।
ଦୀର୍ଘ ସମୟ ସ୍ୱାମୀଙ୍କ ମୃତଦେହକୁ ଧରି ବସିବା ପରେ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ପହଞ୍ଚି ତାଙ୍କୁ ସହାୟତାର ହାତ ବଢାଇଥିଲା । ରଞ୍ଜନଙ୍କ ମୃତଦେହ ସକ୍ରାର କରାଯାଇଥିଲା ।