fbpx

ଦଳିତ ହୋଇଥିବାରୁ ମିଳୁନି ସମ୍ମାନ, ମର୍ମାହତ ହୋଇ ନିଜ ପଦରୁ ଇସ୍ତଫା ଦେଲେ ଯୋଗୀ ସରକାରଙ୍କ ମନ୍ତ୍ରୀ ଖଟିକ୍

ଲକ୍ଷ୍ନୌ: ମୋତେ ମୋ ବିଭାଗରେ ଅଣଦେଖା କରାଯାଉଛି। ଦଳିତ ହୋଇଥିବାରୁ ଅପମାନିତ କରାଯାଉଛି। ଅଧିକାରୀ ମୋ କଥା ଶୁଣୁ ନାହାନ୍ତି… ଏମିତି ସଙ୍ଗୀନ ଅଭିଯୋଗ ଲଗାଇ ଯୋଗୀ ସରକାରରେ ଜଳଶକ୍ତି ବିଭାଗର ରାଜ୍ୟ ମନ୍ତ୍ରୀ ଦିନେଶ ଖଟିକ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ଇସ୍ତଫା ପତ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କ ନିକଟକୁ ପଠାଇ ଦେଇଛନ୍ତି। ଅଧିକାରୀ ତାଙ୍କୁ ଗୁରୁତ୍ଵ ନଦେବା ଏବଂ ଦଳିତଙ୍କୁ ଉଚିତ୍ ମାନ ସମ୍ମାନ ନମିଳିବା ଅଭିଯୋଗ ଲଗାଇଛନ୍ତି ଖଟିକ୍। ଅଧିକାରୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇ  ନିଜ ପଦରୁ ଇସ୍ତଫା ଦେଇଥିବା ମନ୍ତ୍ରୀ ଦିନେଶ ଖଟିକ କହିଛନ୍ତି।

ଜଳଶକ୍ତି ବିଭାଗର ରାଜ୍ୟ ମନ୍ତ୍ରୀ ଦିନେଶ ଖଟିକ ଅଭିଯୋଗ କରିଛନ୍ତି ଯେ, ଦଳିତ ହେବା କାରଣରୁ ବିଭାଗରେ ତାଙ୍କୁ ଅଣଦେଖା କରାଯାଉଛି। କୌଣସି ବୈଠକ ପାଇଁ ତାଙ୍କୁ ସୂଚନା ଦିଆଯାଏ ନାହିଁ। ରାଜ୍ୟମନ୍ତ୍ରୀ ହିସାବରେ କେବଳ ଗାଡି ଖଣ୍ଡେ ଦିଆଯାଇଛି। ଅଧିକାରୀଙ୍କ ଟ୍ରାନ୍ସଫର ମାମଲାରେ ବଡ ଦୁର୍ନୀତି ହୋଇଥିବା ଖଟିକ୍ ଅଭିଯୋଗ କରିଛନ୍ତି।

ବଦଳିରେ ଗଡବଡକୁ ନେଇ ଯେବେ ଦିନେଶ ଖଟିକ ଅଧିକାରୀଙ୍କୁ ତଥ୍ୟ ମାଗିଲେ, ତାଙ୍କୁ ଏ ପର‌୍ୟ୍ୟନ୍ତ ସୂଚନା ଦିଆଯାଇ ନାହିଁ। ପ୍ରମୁଖ ସଚିବ କଥା ଠିକରେ ନଶୁଣି ଫୋନ୍ କାଟି ଦିଅନ୍ତି, ଯାହା ବହୁତ ଅପମାନର କଥା। ମନ୍ତ୍ରୀ ନମାମି ଗଙ୍ଗେ ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଉତ୍ତର ପ୍ରଦେଶ ସରକାରଙ୍କ ଅଧିକାରୀ ଦଳିତଙ୍କ ଅପମାନ କରୁଛନ୍ତି। ମୋ ବିଭାଗରେ ବଦଳି ନାମରେ ବେଆଇନ ଭାବେ ଟଙ୍କା ଆଦାୟ କରାଯାଇଛି। ଏହି ବିଷୟରେ ଜବାବ ଲୋଡିବା ପରେ ବି କୌଣସି କାର‌୍ୟ୍ୟାନୁଷ୍ଠାନ ନିଆଯାଇ ନାହିଁ।

ସେ ନିଜ ଚିଠିରେ ଲେଖିଛନ୍ତି, ଯେବେ ଦଳିତ ସମାଜର ମନ୍ତ୍ରୀଙ୍କ ବିଭାଗରେ ତାଙ୍କର କୌଣସି ଗୁରୁତ୍ଵ ନାହିଁ, ଏମିତିରେ ରାଜ୍ୟ ମନ୍ତ୍ରୀ ଭାବେ ମୋର କାମ ଦଳିତ ସମାଜ ପାଇଁ ବେକାର। ଏଥିରେ ମର୍ମାହତ ହୋଇ ନିଜ ପଦରୁ ଇସ୍ତଫା ଦେଇଥିବା ଖଟିକ୍ କହିଛନ୍ତି। ହେଲେ ଏ ଅଦ୍ୟାବଧି ତାଙ୍କ ଇସ୍ତଫା ପତ୍ର ସ୍ଵୀକାର କରାଯାଇ ନାହିଁ।

Get real time updates directly on you device, subscribe now.