ଜୀବନ ପାଇଁ ଘାତକ ସାଜିଲା ମୋବାଇଲ, ଚାର୍ଜ କରୁଥିବା ବେଳେ ଯୁବକଙ୍କର ଯନ୍ତ୍ରଣାଦାୟକ ମୃତ୍ୟୁ

ନୂଆଦିଲ୍ଲୀ: ଆଜିକାଲି ମୋବାଇଲ ଫୋନ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇସାରିଛି । ମୋବାଇଲ ବିନା ଲୋକେ ଗୋଟିଏ କ୍ଷଣି ମଧ୍ୟ ରହିପାରୁନାହାନ୍ତି । ହେଲେ ଏହି ମୋବାଇଲ ଫୋନ ଆପଣଙ୍କ ଜୀବନ ପାଇଁ ମଧ୍ୟ ଘାତକ ସାଜିପାରେ । ଏଥିପ୍ରତି ସାବଧାନତା ଅବଲମ୍ବନ କରିବା ଆବଶ୍ୟକ । ମୋବାଇଲର ଯଦି ସଠିକ୍ ରୂପରେ ବ୍ୟବହାର ବ ହୁଏ ତେବେ ଏହା ଆପଣଙ୍କ ପାଇଁ ବଡ଼ ଅସୁବିଧାରେ ପରିଣତ ହେବ । ତେବେ ଏପରି ଏକ ଘଟଣା ଉତ୍ତରପ୍ରଦେଶରେ ଘଟିଛି । ଦ୍ୱିପ୍ରହରରେ ମୋବାଇଲ ଚାର୍ଜ କରୁଥିବା ସମୟରେ ଜଣେ ଯୁବକଙ୍କର ପ୍ରାଣହାନି ଘଟିଛି ।

ଭାରପ୍ରାପ୍ତ ଥାନା ଅଧିକାରୀ (SHO) ବିନୋଦ କୁମାର ମୌର୍ଯ୍ୟ ଶନିବାର ଦିନ କହିଛନ୍ତି ଯେ, ମଞ୍ଜାନପୁର ପୋଲିସ ଷ୍ଟେସନ ଅଧୀନରେ ଥିବା ବିଚୋରା ଗାଁର ବାସିନ୍ଦା ୨୫ ବର୍ଷୀୟ ସୁନୀଲ କୁମାର ପଟେଲ, କୋଖରାଜ ପୋଲିସ ଷ୍ଟେସନ ଅନ୍ତର୍ଗତ ରାମପୁର ସୁହେଲା ଗ୍ରାମରେ ଥିବା ତାଙ୍କ ମାତାପିତାଙ୍କ ଘରେ ରହୁଥିଲେ। ଅପରାହ୍ନ ସମୟରେ ସେ ମୋବାଇଲ ଚାର୍ଜ କରୁଥିଲେ। ଏହି ସମୟରେ ସର୍ଟ ସର୍କିଟ ଯୋଗୁଁ ସୁନୀଲଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା, ଏହାପରେ ସେ ପଡ଼ିଯାଇଥିଲେ।

ଦୁର୍ଘଟଣା ପରେ ପୋଲିସକୁ ପରିବାର ଲୋକେ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି। ଏଥିସହ କେଉଁ କାରଣରୁ ସର୍ଟ ସର୍କିଟ ଲାଗିଛି ସେନେଇ ତଦନ୍ତ ଚାଲିଛି।