ସହିପାରୁ ନ ଥିଲେ ରୋଗ ଯନ୍ତ୍ରଣା, ଶେଷରେ ଯୁବକ ହାରିଦେଲେ ଜୀବନ
ରାତି ପାହିଲେ ଆସିଥାନ୍ତେ କ୍ୟାପିଟାଲ ହସ୍ପିଟାଲ । ସକାଳେ ଯୁବକଙ୍କୁ ଝୁଲନ୍ତା ଅବସ୍ଥାରେ ପାଇଲେ ପରିବାର ଲୋକ ।
ବାଲିପାଟଣା: ରୋଗ ଯନ୍ତ୍ରଣା ଅସହ୍ୟ ହେବା ପରେ ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ । ମୃତ ଯୁବକ ହେଲେ ବାଲିପାଟଣା ଥାନା ସରାଟ ଗ୍ରାମର କ୍ଷୀରୋଦ ପ୍ରଧାନ ଓରଫ ଟିକି ( ୩୬ ) ।
କ୍ଷୀରୋଦ କିଛି ଦିନ ହେଲା ହଳଦିଆ କାମଳ, ଜ୍ୱରରେ ଆକ୍ରାନ୍ତ ଥିଲେ । ପରିବାର ଲୋକେ ତାଙ୍କୁ ବିଭିନ୍ନ ହସ୍ପିଟାଲ ନେଇ ଚିକିତ୍ସା କରିବାକୁ ଚେଷ୍ଟା କରିଥିଲେ । କ୍ଷୀରୋଦ ହସ୍ପିଟାଲରେ ରହିବାକୁ ଭୟ କରୁଥିଲେ ।
କିଛି ଦିନ ତଳେ କ୍ଷୀରୋଦ ହସ୍ପିଟାଲରେ ଆଡମିସନ ହେବ ପରେ ବେଡ଼ ଛାଡି ଘରକୁ ଚାଲି ଆସିଥିଲେ । ସେ ମାନସିକ ସ୍ତରରେ ଦୁର୍ବଳ ହୋଇ ପଡିଥିଲେ । ଆଜି କ୍ୟାପିଟାଲ ହସ୍ପିଟାଲକୁ ଯିବା ପାଇଁ ଘରଲୋକ ସ୍ଥିର କରିଥିଲେ ।
ସେ ବିଷୟରେ କ୍ଷୀରୋଦ ବିଳମ୍ବିତ ରାତି ପର୍ଯ୍ୟନ୍ତ ପରିବାର ଲୋକଙ୍କ ସହ କଥା ମଧ୍ୟ ହୋଇଥିଲେ । ଭୋରୁ କିନ୍ତୁ ଗୋଦାମ ଘରେ କ୍ଷୀରୋଦ ବେକରେ କପଡା ବାନ୍ଧି ଝୁଲି ପଡିଥିବା ଦେଖିବାକୁ ମିଳିଥିଲା ।
ପରିବାର ଲୋକେ ଘରେ ନ ପାଇବାରୁ ଆଖପାଖରେ ଖୋଜାଖୋଜି କରିଥିଲେ । ଘର ଭିତରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଦେଖି ସେମାନେ ଗାଁ ଲୋକଙ୍କୁ ଡାକିଥିଲେ । ତାଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବାଲିପାଟଣା ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି ।