ଜୋମାଟୋ ଗାର୍ଲ ବିଷ୍ଣୁପ୍ରିୟା ଓ ଜାତୀୟ କବାଡି ଖେଳାଳୀ ମାଧାବଙ୍କୁ ସହଯୋଗର ହାତ ବଢ଼ାଇଲେ ବିଶିଷ୍ଟ ଶିଳ୍ପପତି ଡ଼ଃ. ଶରତ କୁମାର ସାହୁ ଓ ସଙ୍ଗୀତା ଫାଉଣ୍ଡେସନ୍
କଟକ (ଓଡ଼ିଶା ଭାସ୍କର): ଓଡ଼ିଶାର ବିଶିଷ୍ଟ ଶିଳ୍ପପତି, ସମାଜସେବୀ ତଥା ରୁଚିମସଲାର ପରିଚାଳନା ନିର୍ଦ୍ଦେଶକ ଡ଼ଃ. ଶରତ କୁମାର ସାହୁ କଟକର ପ୍ରଥମ ଜୋମାଟୋ ଗାର୍ଲ ବିଷ୍ଣୁପ୍ରିୟା ସ୍ୱାଇଁ ଓ ଜାତୀୟ କବାଡ଼ି ଖେଳାଳୀ ମାଧବ ରାଓଙ୍କୁ ସହେଯାଗର ହାତ ବଢାଇବା ପାଇଁ ନିଜର ୭୨ତମ ଜନ୍ମ ଦିବସରେ ଘୋଷଣା କରିଛନ୍ତି ।
କଟକର ପ୍ରଥମ ଜୋମାଟୋ ଗାର୍ଲ ବିଷ୍ଣୁପ୍ରିୟା ଜଣେ ମେଧାବୀ ଛାତ୍ରୀ ଭାବେ କଟକର ଶୈଳବାଳା ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବାବେଳେ ଭବିଷ୍ୟତରେ ଜଣେ ଡାକ୍ତର ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଅର୍ଥ ତାଙ୍କ ଶିକ୍ଷା ପାଇଁ ବାଧକ ସାଜିଥିବା ବେଳେ ସେ ଜୋମାଟୋରେ କାର୍ଯ୍ୟକରି ନିଜ ପରିବାର ଚଳାଇବାସହ ନିଜର ଶିକ୍ଷା ଜାରି ରଖିଛନ୍ତି । ତାଙ୍କର ଶିକ୍ଷା ପାଇଁ ଡ଼ଃ ଶରତ କୁମାର ସାହୁ ସମସ୍ତ ସହଯୋଗକରିବା ପାଇଁ ଘୋଷଣା କରିଥିବା ବେଳେ ଡିଜିଟାଲ୍ ଶିକ୍ଷାଗ୍ରହଣ ପାଇଁ ଡ଼ଃ ସାହୁ ବିଷ୍ଣୁପ୍ରିୟାଙ୍କୁ ଏକ ମୋବାଇଲ ମଧ୍ୟ ପ୍ରଦାନ କରିଛନ୍ତି ।
ସେହିପରି ଓଡିଶାର ଯୁବ ଓ ଦକ୍ଷ କବାଡ଼ି ଖେଳାଳୀ ମାଧବ ରାଓ ଜାତୀୟସ୍ତରରେ ପ୍ରତିନିଧିତ୍ୱ କରିସାରିଥିବା ବେଳେ ବର୍ତ୍ତମାନଅଭାବ ଅନାଟନ ଭିତରେ ଗତି କରୁଛନ୍ତି। ସେ ଖାଦ୍ୟ ଯୋଗାଣକାରୀ ସଂସ୍ଥା ସ୍ୱିଗିରେ ଡେଲିଭରୀ ବୟ ଭାବରେ କାର୍ଯ୍ୟ କରୁଛନ୍ତି, ଯାହା ତାଙ୍କ ପ୍ରତିଭା ବିକାଶରେ ବାଧକ ସାଜିଛି। ଏ ଖବର ଗଣମାଧ୍ୟମରୁ ଜାଣିବା ପରେ ଡ଼ଃ ସାହୁ ମାଧବ ରାଓଙ୍କୁ ରୁଚି ଉଦ୍ୟୋଗରେ କର୍ମସଂସ୍ଥାନ ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି । କରୋନାର ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ସେ ମାଧବ ରାଓଙ୍କୁ ଆଣି ସମସ୍ତ ସହଯୋଗ କରିବେ ବୋଲି ଘୋଷଣା କରିଛନ୍ତି ।
ନିକଟ ଅତୀତରେ ଡ଼ଃ ସାହୁ ଶରତ ଓ ସଙ୍ଗୀତା ଫାଉଣ୍ଡେସନ୍ ପ୍ରତିଷ୍ଠା କରି ବିଭିନ୍ନ ପ୍ରରକାର ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହି ଫାଉଣ୍ଡେସନ୍ ମାଧ୍ୟମରେ ଉଭୟ ବଷ୍ଣୁପ୍ରିୟା ଏବଂ ମାଧବ ନିଜର ସ୍ୱପ୍ନକୁ ସାକାର କରିପାରିବେ ବୋଲି ମତବ୍ୟକ୍ତ କରିଛନ୍ତି ଡ଼ଃ ଶରତ କୁମାର ସାହୁ ଏବଂ ସଙ୍ଗୀତା ସାହୁ ।