fbpx
BJD SKY
BJD SKY

ରାଜ୍ୟରେ ବାରମ୍ବାର ବିଦ୍ୟୁତ୍‍ କାଟ୍‍କୁ ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ; ସମସ୍ୟାର ତତ୍କାଳ ସମାଧାନ ପାଇଁ ନିର୍ଦ୍ଦେଶ

BJD

ଭୁବନେଶ୍ୱର: ରାଜ୍ୟରେ ବାରମ୍ବାର ବିଦ୍ୟୁତ୍‍କାଟ୍‍ ଅଭିଯୋଗର ସମାଧାନ ଲକ୍ଷ୍ୟରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଦ୍ୟୁତ୍‍ ଉପଭୋକ୍ତା ମାନଙ୍କର ବିଭିନ୍ନ ସମସ୍ୟା ଓ ରାଜ୍ୟରେ ସାମ୍ପ୍ରତିକ ବିଦ୍ୟୁତ୍‍ ଭିତ୍ତିଭୂମି ସମ୍ପର୍କରେ ଆଲୋଚନା ହୋଇଥିଲା । କାଳବୈଶାଖୀ ଯୋଗୁଁ ସୃଷ୍ଟି ହେଉଥିବା ଅକସ୍ମାତ ସମସ୍ୟାର ସମାଧାନ ପାଇଁ ବିତରଣ କମ୍ପାନୀଗୁଡ଼ିକ ନିଜକୁ ଅତ୍ୟାଧୁନିକ ଯନ୍ତ୍ରପାତି ଓ ଆବଶ୍ୟକ ସରଞ୍ଜାମ ସହ ପ୍ରସ୍ତୁତ ରହିବାକୁ ମୁଖ୍ୟସଚିବ ନିର୍ଦ୍ଦେଶ ଦେଇଥିଲେ ।

କଣ୍ଟ୍ରୋଲ ରୁମ୍‍କୁ ଆସୁଥିବା ଅଭିଯୋଗଗୁଡ଼ିକୁ ଗୁରୁତ୍ୱ ଦେଇ ବିଦ୍ୟୁତ୍‍ ଯୋଗାଣ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ବିଦ୍ୟୁତ୍‍କାଟ୍‍ ସମସ୍ୟା ଯୋଗୁଁ ରାଜ୍ୟରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ତତ୍କାଳ ପଦକ୍ଷେପ ନେବାପାଇଁ ମୁଖ୍ୟସଚିବ ଶ୍ରୀ ଜେନା ଶକ୍ତି ବିଭାଗ ଏବଂ ବିତରଣ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି । ଶକ୍ତିବିଭାଗ ସହ ଉତ୍ତମ ସମନ୍ୱୟ ରକ୍ଷାକରି ବିତରଣ କମ୍ପାନୀ ସବ୍‍ଷ୍ଟେସନ ଓ ମୁଖ୍ୟଷ୍ଟେସନ ସହ ଯୋଗାଯୋଗ କରି ବିଦ୍ୟୁତ୍‍ ସମସ୍ୟାର ସମାଧାନ କରିବା ଏବଂ ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍‍ସେବା ଯୋଗାଇ ଦେବାକୁ ମୁଖ୍ୟସଚିବ
ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ସାମାଜିକ ଗଣମାଧ୍ୟମରେ ବିଦ୍ୟୁତ୍‍ ସମସ୍ୟାକୁ ନେଇ ଆସୁଥିବା ଅଭିଯୋଗକୁ ମଧ୍ୟ ଗୁରୁତ୍ୱ ଦେବାପାଇଁ ମୁଖ୍ୟସଚିବ ବିତରଣ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ବିଦ୍ୟୁତ୍‍ ବିତରଣ ଦାୟିତ୍ୱରେ ଥିବା ଟାଟା ପାୱାର କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.