fbpx

ଏହି ଗାଁକୁ ରାସ୍ତା, ବିଜୁଳି ଓ ମୋବାଇଲ୍ ନେଟୱାର୍କ ନଥାଇ ମଧ୍ୟ ୧୦୦% ଲୋକଙ୍କ ଟିକାକରଣ କରି ଦେଶରେ ହୋଇଛି ପ୍ରଥମ

ଶ୍ରୀନଗର: ଘାତକ ମହାମାରୀ କରୋନାର ସବୁଠାରୁ ବଡ ହତିଆର ଭାବରେ ଟିକାକୁ ବର୍ତ୍ତମାନ ବିତରଣ କରାଯାଉଛି । ତେଣୁ ଏବେ ଦେଶ ତଥା ବିଶ୍ୱବ୍ୟାପୀ ଟିକାକରଣ ଅଭିଯାନ ଜାରି ରହିଛି । ସେହିପରି ଟିକାକରଣ ଅଭିଯାନ ଅଧୀନରେ ୪୫ ବର୍ଷରୁ ଅଧିକ ବର୍ଗର ବ୍ୟକ୍ତିବିଶେଷଙ୍କ ପରେ ଏବେ ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିବଶେଷଙ୍କୁ ଟିକା ଦିଆଯାଉଛି । ଏହାରି ମଧ୍ୟରେ ଜାମ୍ମୁ-କାଶ୍ମୀରର ଏକ ଏପରି ଗାଁ ରହିଛି ଯେଉଁଠାରେ ୧୦୦ ପ୍ରତିଶତ ଟିକାକରଣ ସରିଛି ଅର୍ଥାତ୍ ସେଠାରେ ସବୁ ଲୋକ ଟିକା ନେଇସାରିଛନ୍ତି । ତେବେ ଏଥିମଧ୍ୟରେ ଖାସ୍ କଥା ହେଉଛି ଏହି ଗାଁରେ ଏଯାବତ୍ ବିଦ୍ୟୁତ୍, ସଡକ କି ମୋବାଇଲ୍ ନେଟୱାର୍କ ପହଞ୍ଚିପାରିନି । ଏତେ ସବୁ ଅସୁବିଧା ଥାଇ ମଧ୍ୟ ସେଠାରେ ୧୦୦ ପ୍ରତିଶତ ଲୋକଙ୍କ ଟିକାକରଣ ହୋଇସାରିଛି । ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।

ବର୍ତ୍ତମାନ ୧୦୦ ପ୍ରତିଶତ ଟିକାକରଣ କରି ଏହା ଏବେ ଦେଶର ପ୍ରଥମ ଗାଁ ପାଲଟିଛି । ଜାମ୍ମୁ-କାଶ୍ମୀରର ବାନ୍ଦୀପୋରା ଜିଲ୍ଲାର ବାବେନ୍ ଗାଁରେ ୧୮ ବର୍ଷରୁ ଅଧିକ ବର୍ଷ ବର୍ଗଙ୍କର ୧୦୦ ପ୍ରତିଶତ ଟିକାକରଣ ହୋଇଯାଇଛି । ସମସ୍ତେ ଭାକସିନ୍ ନେଇସାରିଛନ୍ତି । ଗଣମାଧ୍ୟମର ରିପୋର୍ଟ ମୁତାବକ, ବାନ୍ଦୀପୋରାର ବ୍ଲକ୍ ମେଡିକାଲ୍ ଅଫିସର୍ ଡା. ମସରାମ କହିଛନ୍ତି ଯେ, ଏହି ଗାଁ ବହୁତ ପଛୁଆ, ଏଠାରେ ରାସ୍ତା, ବିଜୁଳି ଏବଂ ମୋବାଇଲ୍ ନେଟୱାର୍କର ବ୍ୟବସ୍ଥା ନାହିଁ । ଦୁଇ ସପ୍ତାହ ତଳେ ଯେତେବେଳେ ସେମାନେ ଟିକାକରଣ ପାଇଁ ଉକ୍ତ ଗାଁକୁ ଯାଇଥିଲେ ସେଠାରେ ମାତ୍ର ୬ ଜଣ ଲୋକ ଟିକା ନେବା ପାଇଁ ଆସିଥିଲେ । ଏହାପରେ ସେମାନେ ଭାକସିନ୍ ବିଷୟରେ ବିସ୍ତୃତ ଭାବରେ ଗାଁର ଲୋକମାନଙ୍କୁ ବୁଝାଇଥିଲେ । ଏହାପରେ ସେମାନେ ଭାକସିନ୍ ନେବା ପାଇଁ ପ୍ରସ୍ତୁତ ହୋଇଥିଲେ ।

ତେବେ ଗାଁକୁ ରାସ୍ତା ନଥିବାରୁ ସ୍ୱାସ୍ଥ୍ୟକର୍ମୀ ମାନେ ମଧ୍ୟ ନିଜ ତରଫରୁ ଅନେକ ଚେଷ୍ଟା କରିଥିଲେ । ସେମାନେ ଜଙ୍ଗଲ ମଧ୍ୟରେ ପାଦରେ ଚାଲି ଚାଲି ୧୧ କିମିର ରାସ୍ତା ଅତିକ୍ରମ କରିଥିବା ଜଣାପଡିଛି । ୩୬୨ଜଣ ଗାଁ ଲୋକଙ୍କ ଟିକାକରଣ କରିଥିଲେ । ତେଣୁ ଏଥିରେ ଗାଁ ଲୋକମାନଙ୍କ ସମେତ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ସହଯୋଗ ବହୁତ ରହିଛି ।

Get real time updates directly on you device, subscribe now.