ନୂଆଦିଲ୍ଲୀ: କୌଣସି ବି ଯୋଜନାରେ ଯଦି ଶତ ପ୍ରତିଶତ ଲକ୍ଷ୍ୟ ହାସଲ ହୋଇଯାଏ ତେବେ ଏଥିରେ ତୃଷ୍ଟୀକରଣ ରାଜନୀତି ସମାପ୍ତ ହୋଇଥାଏ। ଗୁରୁବାର ଭରୁଚରେ ଆୟୋଜିତ ‘ଉତ୍କର୍ଷ ସମାରୋହ’କୁ ଭିଡିଓ କନଫରେନ୍ସି ମାଧ୍ୟମରେ ସମ୍ବୋଧିତ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭରୁଚ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଚାରି ପ୍ରମୁଖ ସରକାରୀ ଯୋଜନାର ଶତ ପ୍ରତିଶତ ଲକ୍ଷ୍ୟ ପୂରା ହେବା ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ତାଙ୍କ ନେତୃତ୍ଵରେ କେନ୍ଦ୍ର ସରକାର ଗତ ଆଠ ବର୍ଷ ସେବା, ସୁଶାସନ ଏବଂ ଗରିବ କଲ୍ୟାଣକୁ ସମର୍ପିତ କରିଛି। କୌଣସି ବି ଯୋଗ୍ୟ ବ୍ୟକ୍ତି ସରକାରୀ ଯୋଜନାର ଲାଭରୁ ଯେମିତି ବଞ୍ଚିତ ନହେବ ସେଥିପ୍ରତି ତାଙ୍କ ସରକାର ନିରନ୍ତର ପ୍ରୟାସ କରୁଛନ୍ତି।
ସେ କହିଛନ୍ତି, ଯେବେ ଆମେ କୌଣସି ବି ଯୋଜନାରେ ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରିଥାଉ ତେବେ ଏହାର ଅର୍ଥ ଶାସନ ପ୍ରଶାସନ ସମ୍ବେଦନଶୀଳ ଅଛନ୍ତି। ଏଥିରେ ସମସ୍ତ ଭେଦଭାବ ଏବଂ ଦ୍ଵନ୍ଦ୍ଵ ସମାପ୍ତ ହୋଇଥାଏ। କାହାରି ସୁପାରିଶର ଆବଶ୍ୟକ ପଡେ ନାହିଁ। ଯେବେ ଶତ ପ୍ରତିଶତ ଲକ୍ଷ୍ୟ ହାସଲ ହୁଏ ତେବେ ତୃଷ୍ଟୀକରଣ ରାଜନୀତି ସମାପ୍ତ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ସୂଚନା ଅଭାବରୁ ସର୍ବଦା ବହୁତ ଲୋକ ସରକାରୀ ଯୋଜନାରୁ ବଞ୍ଚିତ ହୋଇଥାନ୍ତି। କେବେ କେବେ ଯୋଜନା କାଗଜ କଲମରେ ମଧ୍ୟ ସୀମିତ ରହିଯାଏ। ବେଳେ ବେଳେ ଏହି ଯୋଜନାର ଫାଇଦା ବେଇମାନ ଲୋକ ଉଠାଇଥାନ୍ତି।