ବିଜ୍ଞାନ ଭବନରେ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀ ହେବ ପାଳନ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ
ଭୁବନେଶ୍ୱର: ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀକୁ ପାଳନ କରିବେ କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏହି କମିଟିରେ ଗୃହ ଓ ସମବାୟ ବ୍ୟାପାର ମନ୍ତ୍ରୀ ଅମିତ୍ ଶାହ ଅଧ୍ୟକ୍ଷ ଭାବରେ ରହିଛନ୍ତି । କମିଟିର ଅନ୍ୟ ପ୍ରମୁଖ ସଦସ୍ୟମାନଙ୍କ ମଧ୍ୟରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳବାଇ, ସୂଚନା ଏବଂ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସାଂସଦ ଭର୍ତ୍ତୃହରି ମହତାବ, ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଏବଂ ପୁସ୍ତକାଳୟର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର, ଗୃହ ସଚିବ ଗୋବିନ୍ଦ ମୋହନ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଶ୍ରୀ ସଞ୍ଜୟ ଯାଜୁ, ସଂସ୍କୃତି ସଚିବ, ଅରୁନିଶ୍ ଚାୱଲା, ଏବଂ ପିଏମ୍ଓ ଆର୍ଥିକ ପରାମର୍ଶ ପରିଷଦ ସଦସ୍ୟ ସଞ୍ଜୀବ ସାନୟାଲ ପ୍ରମୁଖ ସାମିଲ ରହିଛନ୍ତି ।
ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଉତ୍ସବ ଗୁରୁବାର ପୂର୍ବାହ୍ନ ସାଢ଼େ ୧୧ଟାରୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହେବ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ । ଏହି ଅବସରରେ ବିଶେଷ ସମାରୋହର ଉଦ୍ଘାଟନ ଏବଂ ସମାରୋହିକ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚିତ ହେବ । ଏହି ସମାରୋହର ମୁଖ୍ୟ ଆକର୍ଷଣ ହେବ ପୁସ୍ତକ ଉନ୍ମୋଚନ, ଡିଜିଟାଲ ପ୍ରଦର୍ଶନୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ।ନଭେମ୍ବର ୨୧ ତାରିଖ ଠାରୁ ରାଜ୍ୟ ସରକାରଙ୍କ ତରଫରୁ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀର ୩ ଦିନିଆ ସ୍ମରଣୋତ୍ସବ ରାଜଧାନୀର ରବୀନ୍ଦ୍ର ମଣ୍ଡପ ଠାରେ ୩ ଧରି ପାଳିତ ହେବ । ସେନେଇ ସମସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତି ହୋଇଛି । ଏହି ଉଚ୍ଚସ୍ତରୀୟ କମିଟିରେ ଓଡ଼ିଶାରୁ ବିଜେପି ସଭାପତି ତଥା ବରିଷ୍ଠ ନେତା ମନମୋହନ ସାମଲ, ପୂର୍ବତନ ବିଜେଡି ବିଧାୟକ ତଥା ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ , ପ୍ରଖ୍ୟାତ ଲେଖିକା ପ୍ରତିଭା ରାୟ, ଏବଂ ପ୍ରସିଦ୍ଧ ସାହିତ୍ୟିକ ଗୌରହରି ଦାସ, ଡ. ରାଜେନ୍ଦ୍ର କିଶୋର ପଣ୍ଡା, ହରପ୍ରସାଦ ଦାସ, ତରୁଣକାନ୍ତି ମିଶ୍ର ପ୍ରମୁଖ ସାମିଲ ହୋଇଛନ୍ତି ।