ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ସର୍ବବୃହତ୍ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଆଣିଛି ବମ୍ପର ନିଯୁକ୍ତି ସୁଯୋଗ । ସାରା ଦେଶର ବିଭିନ୍ନ ବ୍ୟାଙ୍କିଂ ଶାଖାମାନଙ୍କରେ ନିଯୁକ୍ତି ପାଇବେ ୧୩ ହଜାରରୁ ଅଧିକ ପ୍ରାର୍ଥୀ । ସବୁଠାରୁ ବଡ଼ କଥା ହେଉଛି ଓଡ଼ିଶାର ଚାକିରି ଆଶାୟୀଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ । ଓଡ଼ିଶା ପାଇଁ ୩୬୨ଟି ପଦ ସଂରକ୍ଷିତ ରହିଛି । ବିଭିନ୍ନ ରାଜ୍ୟ ପାଇଁ ଖାଲି ପଦ ସଂଖ୍ୟା ଅଲଗା ଅଲଗା ରହିଛି । ଓଡ଼ିଶାର ୬ଟି ପରୀକ୍ଷା କେନ୍ଦ୍ରରେ ପ୍ରାର୍ଥୀମାନେ ଏହି ପଦ ପାଇଁ ପରୀକ୍ଷା ଦେଇପାରିବେ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ତଥ୍ୟ ପାଇ ପାରିବେ ।
ସ୍ନାତକ ପାସ୍ କରିଥିବା ପ୍ରାର୍ଥୀମାନେ ଏହି ପଦରେ ନିଯୁକ୍ତି ପାଇବେ । ଚଳିତ ବର୍ଷ ଏପ୍ରିଲ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୦ ବର୍ଷ ଓ ସର୍ବାଧିକ ବୟସ ୨୮ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ଡିସେମବର ୧୭ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜାନୁଆରୀ ୭ରେ ସମାପ୍ତ ହେବ । ଫେବୃଆରୀରେ ପ୍ରିଲିମିନାରୀ ଓ ମାର୍ଚ୍ଚ / ଏପ୍ରିଲରେ ମୁଖ୍ୟ ପରୀକ୍ଷା ହେବାର ସମ୍ଭାବନା ରହିଛି । ୧୩ ହଜାର ୭୩୫ଟି ଜୁନିୟର ଆସୋସିଏଟ (କଷ୍ଟମର ସପୋର୍ଟ ଆଣ୍ଡ ସେଲ୍ସ) ପଦ ପୂରଣ ହେବ । ଜେନେରାଲ, ଓବିସି, ଇଡବ୍ଲ୍ୟୁଏସ ପ୍ରାର୍ଥୀଙ୍କ ପାଇଁ ୭୫୦ ଟଙ୍କା ଆବେଦନ ଫିସ୍ ରହିଥିବା ବେଳେ ଏସସି, ଏସଟି, ପିଡବ୍ଲ୍ୟୁବିଡି, ଇଏସଏମ, ଡିଇଏସଏମ ପ୍ରାର୍ଥୀଙ୍କ ପାଇଁ ଫିସ୍ ଛାଡ଼ କରାଯାଇଛି ।
ନୋଟିଫିକେସନ ଲିଙ୍କ: https://bank.sbi/documents/77530/43947057/16122024_JA+2024+-Detailed+Advt.pdf/6b16e166-78df-2cc9-36a0-3680682d6434?t=1734354989415