CHARIDHAM

ED, CBIର ‘ଅପବ୍ୟବହାର’ ବିରୋଧରେ ସୁପ୍ରିମକୋର୍ଟରେ ୧୪ ବିରୋଧୀ ଦଳ, ଏପ୍ରିଲ୍ ୫ ରେ ହେବ ଶୁଣାଣି

ନୂଆଦିଲ୍ଲୀ: ଦେଶର ତଦନ୍ତକାରୀ ଏଜେନ୍ସୀ ED, CBIର ଅପବ୍ୟବହାର ନେଇ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି ୧୪ ବିରୋଧୀ ଦଳ। ଏହି ମାମଲାରେ ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ମଧ୍ୟ ରାଜି ହୋଇଛନ୍ତି। ବିରୋଧୀ ମାନେ ଏହି ପିଟିସନ୍‌ରେ କହିଛନ୍ତି ଯେ, ତଦନ୍ତକାରୀ ଏଜେନ୍ସୀର ଅପବ୍ୟବହାର କରି ରାଜନୈତିକ ବିରୋଧୀଙ୍କୁ ଗିରଫ କରାଯାଉଛି । ତେଣୁ ଅନୁସନ୍ଧାନକାରୀ ଏଜେନ୍ସି ଏବଂ କୋର୍ଟ ପାଇଁ ଗିରଫ ଏବଂ ରିମାଣ୍ଡରେ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯିବା ଉଚିତ୍ । ତେବେ ଏହି ମାମଲାରେ ୫ ଏପ୍ରିଲରେ ଏହି ମାମଲାର ଶୁଣାଣି ହେବ । ବିଶେଷ କଥା ହେଉଛି ଏହି ୧୪ ଟି ରାଜନୈତିକ ଦଳରେ ଦେଶର ସବୁଠୁ ବଡ ବିରୋଧୀ ଦଳ କଂଗ୍ରେସ ମଧ୍ୟ ସାମିଲ ହୋଇଛି ।

ଏହି ମାମଲାରେ ୧୪ ରାଜନୈତିକ ଦଳର ପକ୍ଷ ରଖୁଥିବା ଅଭିଷେକ ସାଙ୍ଗଭୀ ମୁଖ୍ୟ ବିଚାରପତିଙ୍କୁ କହିଛନ୍ତି ଯେ, ରାଜନୈତିକ ବିରୋଧୀଙ୍କୁ ଗିରଫ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଇନ ଶୃଙ୍ଖଳା ଏଜେନ୍ସିର ଅପବ୍ୟବହାର ବିରୋଧରେ ଆଜି ଏହି ବିରୋଧୀ ଦଳମାନେ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି ।

ସୁପ୍ରିମକୋର୍ଟରେ ଏହି ମାମଲା ଦାୟର କରିଥିବା ଦଳଗୁଡ଼ିକ ମଧ୍ୟରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଆମ୍ ଆଦମୀ ପାର୍ଟି, ଜନତା ଦଳ-ୟୁନାଇଟେଡ୍, ଭାରତ ରାଷ୍ଟ୍ର ସମିତି, ରାଷ୍ଟ୍ରିୟ ଜନତା ଦଳ, ସମାଜବାଦୀ ପାର୍ଟି, ଶିବସେନା (ଉଦ୍ଧବ ଠାକରେ ଦଳ), ନ୍ୟାସନାଲ କନ୍ଫରେନ୍ସ, ଜାତୀୟତାବାଦୀ କଂଗ୍ରେସ ପାର୍ଟି, ବାମପନ୍ଥୀ ଏବଂ ଡିଏମକେ ସାମିଲ ଅଛନ୍ତି।