fbpx

୧୫ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ: ୧୦ ବର୍ଷ ପାଇଁ ଭାରତୀୟ ହକି ଟିମର ପ୍ରାୟୋଜକ ରହିବ ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଅପରାହ୍ଣ ୫.୩୦ରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୧୫ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଓଡ଼ିଶା ଇଭି ପଲିସୀ-୨୦୨୧ରେ ସଂଶୋଧନ, ଓଡ଼ିଶା ଜଙ୍ଗଲ ସେବା କ୍ୟାଡରରେ ହେବ ପୁନର୍ଗଠନ, ୬ ଲେନ୍ ବିଶିଷ୍ଟ ହେବ କଟକ ରିଙ୍ଗ ରୋଡ୍, ବିଦ୍ୟୁତ ବଣ୍ଟନ କମ୍ପାନୀକୁ ମିଳିବ ଆର୍ଥିକ ସହାୟତା, ଅବକାରୀ ସବ-ଇନ୍ସପେକ୍ଟର ନିଯୁକ୍ତି ନୂଆ ଅଧିନିୟମ, ଅନ୍ୟ ପଛୁଆ ବର୍ଗ (ଓବିସି) କମିଶନ ସଂଶୋଧନ ଆଦି ପ୍ରସ୍ତାବ ଉପରେ କ୍ୟାବିନେଟରେ ମୋହର ବାଜିଛି ।

କଟକ ରିଙ୍ଗ ରୋଡ଼କୁ ୬ ଲେନ୍ କରାଯିବା ନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା ବେଳେ ଏଥିପାଇଁ ଅର୍ଥ ବ୍ୟୟବରାଦ କରାଯାଇଛି । ୨୦୨୩ରୁ ୨୦୩୩ ପର୍ଯ୍ୟନ୍ତ ୧୦ ବର୍ଷ ପାଇଁ ଓଡ଼ିଶା ଭାରତୀୟ ହକି ଦଳର ପ୍ରାୟୋଜକ ଭାବେ କାର୍ଯ୍ୟ କରିବ । ଓଡ଼ିଶା ଭାରତୀୟ ଟିମକୁ ଆଉ ୧୦ ବର୍ଷ ପାଇଁ ସ୍ପନସର କରିବ ବୋଲି ଗତ ୨୦୨୧ ମସିହା ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ରାଜ୍ୟରେ ସ୍ୱତନ୍ତ୍ର ଲଘୁ ଖଣିଜ ନିଲାମୀ ଅଧିନିୟମରେ ସଂଶୋଧନ ପାଇଁ ଖୁବଶୀଘ୍ର ସ୍ୱତନ୍ତ୍ର ସଂଶୋଧିତ ଅଧିନିୟମ-୨୦୨୩ ଆସିବ । ସେହିପରି ଜଙ୍ଗଲ ସେବା କ୍ୟାଡରର ପୁନର୍ଗଠନ, ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ (ଜିପିଏଫ) ଅଧିନିୟମ -୧୯୩୮ର ସଂଶୋଧନ କରାଯିବ ।

ଅବକାରୀ ସବଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ନେଇ ପୂର୍ବରୁ ଯେଉଁ ଅଧିନିୟମ ରହିଥିଲା ତାହାକୁ ଅକାମୀ କରିଦିଆଯିବ । ଏହାପରେ ନୂଆ ଅଧିନିୟମ-୨୦୨୩ ଲାଗୁ ହେବ । ଏଥିସହିତ ସିନିୟର ଆସିଷ୍ଟାଣ୍ଟ, ସେକ୍ସନ ଅଫିସରଙ୍କ ନିଯୁକ୍ତି ନେଇ ନୂଆ ସର୍ତ୍ତାବଳୀ ଆସିବ । କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିଥିବା ପ୍ରସ୍ତାବଗୁଡ଼ିକ ମଧ୍ୟରେ କୃଷି, ଶିଳ୍ପ, ପଞ୍ଚାୟତିରାଜ, ପାନୀୟ ଜଳ ଓ ରାଜସ୍ୱ ବିଭାଗର ବହୁ ପ୍ରସ୍ତାବ ରହିଛି ।

 

Get real time updates directly on you device, subscribe now.