fbpx

ପଞ୍ଚାୟତ ନିର୍ବାଚନ ଡ୍ୟୁଟି ବେଳେ କରୋନା ନେଲା ୧୬୨୧ ଶିକ୍ଷା କର୍ମଚାରୀଙ୍କ ଜୀବନ, ଲିଷ୍ଟ ଜାରି

ଲକ୍ଷ୍ନୌ : କରୋନା ମହାମାରୀ ହୁ ହୁ ହୋଇ ମାଡିଚାଲିଥିବା ବେଳେ ଅନେକ ଲୋକଙ୍କର ଜୀବନ ଯାଉଛି । ଏହାରି ମଧ୍ୟରେ ଉତ୍ତର ପ୍ରଦେଶର ପଞ୍ଚାୟତ ନିର୍ବାଚନରେ ଡ୍ୟୁଟି କରୁଥିବା ବେଳେ କରୋନାରେ ସଂକ୍ରମିତ ଶିକ୍ଷା କର୍ମଚାରୀଙ୍କ ମୃତ୍ୟୁ ସଂଖ୍ୟା ୧୬୨୧କୁ ବୃଦ୍ଧି ପାଇଛି । ୟୁପିର ପ୍ରାଥମିକ ଶିକ୍ଷକ ସଂଘ ଦ୍ୱାରା ଜାରି ସୂଚୀରେ ଏନେଇ ସୂଚନା ଦିଆଯାଇଛି । ଏହା ପୂର୍ବରୁ ୨୮ ଅପ୍ରେଲରେ ଜାରି କରାଯାଇଥିବା ସୂଚୀରେ ୭୦୬ ଶିକ୍ଷା କର୍ମଚାରୀଙ୍କ ମୃତ୍ୟୁ ହେବାର ସଂଘ ସୂଚନା ଦେଇଥିଲା ।

ତେବେ୧୬ ମେ’ରେ ମୁଖ୍ୟମନ୍ତ୍ରୀଙ୍କୁ ସଂଘ ଏହି ତାଲିକା ପଠାଇ ନିର୍ବାଚନ ଡ୍ୟୁଟିରେ ପ୍ରାଣ ହରାଇଥିବା ସବୁ ଶିକ୍ଷକ, ଶିକ୍ଷା ମିତ୍ର ଓ କର୍ମଚାରୀଙ୍କୁ ଏକ କୋଟିର ଆର୍ଥିକ ସହାୟତା ସହ ସେମାନଙ୍କର ପରିବାରକୁ ଚାକିରି ଦିଆଯିବା ସହ ୮ଟି ଦାବି କରିଛି । ପ୍ରାଥମିକ ଶିକ୍ଷକ ସଂଘ ଦ୍ୱାରା ଜାରି କରାଯାଇଥିବା ସୂଚୀ ଅନୁସାରେ, ୟୁପିର ସମସ୍ତ ୭୫ଟି ଜିଲ୍ଲାରେ ୧,୬୨୧ଜଣ ଶିକ୍ଷକ , ଶିକ୍ଷା ମିତ୍ର ଓ କର୍ମଚାରୀଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ଏହିସବୁ ଲୋକ ପଞ୍ଚାୟତ ନିର୍ବାଚନରେ ଡ୍ୟୁଟି କରିଥିଲେ ।

ସୂଚୀ ଅନୁସାରେ, ୟୁପିର ଆଜମଗଡ ଜିଲ୍ଲାରୁ ସର୍ବାଧିକ ୬୮ ଶିକ୍ଷା କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ସେହିପରି ଗୋରଖପୁରରୁ ୫୦, ଲଖିମପୁରରୁ ୪୭, ରାୟବରେଲିରୁ ୫୩, ଜୌନପୁରରୁ ୪୩, ଇଲାହାବାଦରୁ ୪୬, ଲକ୍ଷ୍ନୌରୁ ୩୫, ସୀତାପୁରରୁ ୩୯, ଉନ୍ନାଓରୁ ୩୪, ଗାଜୀପୁରରୁ ୩୬, ବାରାବଙ୍କିରୁ ୩୪ ଶିକ୍ଷା କର୍ମଚାରୀଙ୍କ ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.