fbpx

ଗାଡି ଉପରେ ନିୟନ୍ତ୍ରଣ କରି ପାରିଲେନି ନିଶାଶକ୍ତ ଯୁବକ: ଚକା ତଳେ ଫସିଲା ୬ଜଣଙ୍କ ଜୀବନ

ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ନିଶାଶକ୍ତ ଅବସ୍ଥାରେ ଆତଙ୍କ ସୃଷ୍ଟି କରିଛନ୍ତି ୨ ଯୁବକ । ଜଣେ କି ୨ ଜଣ ନୁହେଁ ୬-୭ ଜଣଙ୍କୁ ନିଜ ଗାଡି ତଳେ ଦଳି ଦେଇଥିବା ଅଭିଯୋଗ ହୋଇଛି । ମଦ୍ୟପାନ କରି ଦ୍ରୁତ ଗତିରେ ଗାଡି ଚଳାଇବା ସହ ସାଧାରଣ ଲୋକଙ୍କ ଜୀବନକୁ ବିପଦରେ ପକାଇବା ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ସେପଟେ ସମସ୍ତ ଆହତମାନଙ୍କ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ହଜରତଗଞ୍ଜ ଅଞ୍ଚଳର ଗଣେଶ ଗୁପ୍ତା ରାଣା ପ୍ରତାପ ଛକ ନିକଟରେ ଏକ ହୋଟେଲ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ କିଛି ଲୋକ ହୋଟେଲରେ ବସି ଖାଉଥିବା ବେଳେ ଗଣେଶ ସେମାନଙ୍କୁ ଖାଦ୍ୟ ପରସୁଥିଲେ । ଏହି ସମୟରେ ଦ୍ରୁତ ଗତିରେ ଏକ ଗାଡି ତାଙ୍କ ଆଡକୁ ମାଡି ଆସିଥିଲା ଏବଂ ସେମାନଙ୍କୁ ଏହାରଶିକାର ହେବାକୁ ପଡିଛି । ପ୍ରଥମେ ଜଣେ ରିକ୍ସା ଚାଳକଙ୍କ ଧକ୍କା ଦେଇ ପରେ ପାଖରେ ଥିବା ସ୍କୁଟି ଏବଂ ବାଇକକୁ ଧକ୍କା ଦେଇଥିଲା ଏହି ଗାଡି । ଏହାରି ମଧ୍ୟରେ ଗଣେଶ ଏବଂ ହୋଟେଲରେ ଥିବା କିଛି ଗ୍ରାହକଙ୍କୁ ଧକ୍କା ଦେଇ ଗୁରୁତର ଆହତ କରିଛନ୍ତି ୨ ଗାଡିଚାଳକ । ତେବେ ଗାଡି ଉପରେ ନିୟନ୍ତ୍ରଣ ରଖି ନ ପାରି ଏକ ଶୌଚାଳୟରେ ପିଟି ହୋଇ ଅଟକି ଯାଇଥିଲା ।

ଏହାପରେ ସ୍ଥାନୀୟ ଲୋକେ କାର ଚାଳକ ଫାରୁକ ଏବଂ ଅକ୍ଷୟଙ୍କୁ ଧରି ନିର୍ଧୁମ ମାଡ ମାରିବା ସହ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଉଭୟଙ୍କୁ ଗିରଫ କରିଛି । ଏହା ସହିତ ଦୁର୍ଘଟଣାରେ ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗଣେଶଙ୍କ ବ୍ୟତୀତ ଶିବମ, ଦିଲୀପ ଏବଂ ଅନ୍ୟ ୩ ଜଣ ଏଥିରେ ଆହତ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗମ୍ଭୀର ଥିବା ବେଳେ କେହି ପ୍ରାଣ ହରାଇ ନଥିବା ପୋଲିସ ସୂଚନା ଦେଇଛି ।

Get real time updates directly on you device, subscribe now.