‘ୱାନ୍ ନେସନ୍, ୱାନ୍ ଇଲେକସନ୍’ ବିଲ୍ ମତଦାନ ସମୟରେ ଗଡ଼କରୀଙ୍କ ସମେତ ଅନୁପସ୍ଥିତ ୨୦ ସାଂସଦ, ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି
ନୂଆଦିଲ୍ଲୀ: ମଙ୍ଗଳବାର ଲୋକସଭାରେ ‘ୱାନ୍ ନେସନ୍, ୱାନ୍ ଇଲେକସନ୍’ ବିଲ୍ ଆଗତ କରାଯାଇଥିଲା । କେନ୍ଦ୍ରୀୟ ଆଇନ୍ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ବିଲ୍ ଆଗତ କରିଥିଲେ । ବିଲ୍ ଆଗତ ହେବା ପରେ ବିରୋଧୀ ଦଳ ସାଂସଦଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା । ସେମାନେ ଏହି ବିଲକୁ ଗଣତନ୍ତ୍ର ବିରୋଧୀ ଦର୍ଶାଇଥିଲେ ।
ଲୋକସଭାରେ ‘ୱାନ୍ ନେସନ୍, ୱାନ୍ ଇଲେକସନ୍’ ବିଲକୁ ଗ୍ରହଣୀୟ କରାଯିବା ନେଇ ଭୋଟିଂ ହୋଇଥିଲା । ଏହି ବିଲ୍ ସମର୍ଥନରେ ମୋଟ୍ ୨୬୯ ସାଂସଦ ଭୋଟ୍ ଦେଇଥିବା ବେଳେ ୧୯୮ ସାଂସଦ ବିଲ୍ ବିରୋଧରେ ଭୋଟ୍ ଦେଇଥିଲେ । ଇଲେକ୍ଟ୍ରୋନିକ୍ ସିଷ୍ଟମ ମାଧ୍ୟମରେ ଭୋଟିଂ ହୋଇଥିଲା । କିନ୍ତୁ ଏହି ଭୋଟି ସମୟରେ ବିଜେପିର ଅନେକ ସାଂସଦ ଅନୁପସ୍ଥିତ ରହିଥିଲେ । ଫଳରେ ଦଳ ତରପରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଅନୁପସ୍ଥିତ ସାଂସଦଙ୍କ ମଧ୍ୟରୁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଗିରିରାଜ ସିଂହ, ଶାନ୍ତନୁ ଠାକୁର, ଜଗଦମ୍ବିକା ପାଲ, ବିଜୟ ବାଘେଲ, ଉଦୟରାଜେ ଭୋସଲେ, ବି ୱାଇ ରାଘବେନ୍ଦ୍ର, ଜୟନ୍ତ କୁମାର ରାୟଙ୍କ ଭଳି ଅନ୍ୟ ପ୍ରମୁଖ ବ୍ୟକ୍ତିଙ୍କ ନାଁ ସାମିଲ ରହିଛିି । ବିଜେପି ଏହାର ସାଂସଦଙ୍କୁ ୩ ଲାଇନର ହ୍ୱିପ୍ ମାଧ୍ୟମରେ ନୋଟିସ୍ ଜାରି କରିଥିବା ସୂତ୍ରରୁ ପ୍ରକାଶ । ଅନୁପସ୍ଥିତ ଥିବା ସାଂସଦ ନିଜ ଅନୁପସ୍ଥିତିର କାରଣ ବିଷୟରେ ଦଳକୁ ସୂଚିତ କରିଥିଲେ ନା ନାହିଁ ଏ ବିଷୟରେ କିଛି ସ୍ପଷ୍ଟ କରାଯାଇନାହିଁ ।