ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ନିଯୁକ୍ତି ପାଇବେ ୨୦ ହଜାର କନିଷ୍ଠ ଶିକ୍ଷକ । ରାଜ୍ୟରେ ପ୍ରାଥମିକ ଶିକ୍ଷକ ଅଭାବ ପୂରଣ ପାଇଁ ସେମାନଙ୍କୁ ବର୍ଷିକିଆ ଚୁକ୍ତି ଅର୍ଥାତ ସ୍କିମେଟିକ୍ ଭାବେ ନିଯୁକ୍ତି ଦିଆଯିବ । ଓଡ଼ିଶା ବିଦ୍ୟାଳୟ ଓ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଏହି ନିଯୁକ୍ତି ପ୍ରକ୍ରିୟା ପରିଚାଳନା କରିବ । ଏନେଇ ଗତ ଅଗଷ୍ଟ ମାସରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ସୁପାରିଶ କରାଯିବା ସହିତ ଗେଜେଟ୍ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା ।
ତେବେ ଏହି ନିଯୁକ୍ତି ପାଇଁ ଆସନ୍ତା ସପ୍ତାହରେ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଚଳିତ ମାସରୁ ଏଥିନେଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇପାରେ । ଏଥିସହିତ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଏହି ନିଯୁକ୍ତି ପ୍ରକ୍ରିୟା ସମାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଏହି ନିଯୁକ୍ତିର ସମସ୍ତ ସୂଚନା ଓସେପାର ୱେବସାଇଟରେ ଜାରି କରାଯିବ । ଅନଲାଇନ କମ୍ପ୍ୟୁଟର ବେସଡ ଟେଷ୍ଟ (ସିବିଡି) ମୋଡ଼ରେ ଏହି ନିଯୁକ୍ତି ପରୀକ୍ଷା କରାଯିବ ।
ପ୍ରଥମରୁ ପଞ୍ଚମ ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏପରି ଭାବେ ଦୁଇଟି ବର୍ଗରେ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଜଣେ ନୋଡାଲ ଅଧିକାରୀ ଏହି ଦାୟିତ୍ୱରେ ରହିବେ । ନିଯୁକ୍ତି ପାଇବା ପରେ ଶିକ୍ଷକମାନେ ଜିଲ୍ଲା ପରିଷଦ ଅଧିନରେ ରହିବେ ଓ ବାର୍ଷିକ ଚୁକ୍ତି ସମାପ୍ତ ହେବା ପରେ ସେମାନଙ୍କର ନବୀକରଣ କରାଯିବ । ସେମାନେ ମାସିକ ପାରିଶ୍ରମିକ ପାଇବେ । ତେବେ ଦକ୍ଷତା ନଥିଲେ ଶିକ୍ଷକଙ୍କୁ ୩୦ ଦିନର ନୋଟିସ୍ ଦିଆଯାଇ କାର୍ଯ୍ୟରୁ ଅନ୍ତର କରିଦିଆଯିବ । ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଏହି ଦକ୍ଷତା ନିର୍ଦ୍ଧାରଣ କରିବେ ।