ଆସନ୍ତାକାଲି ଏହି ନିର୍ବାଚନମଣ୍ଡଳୀକୁ ମିଳିବ ୨ଶହ କୋଟି ଟଙ୍କା…

ଓଡିଶା ଭାସ୍କର: ରାଜ୍ୟର ବିକାଶ କ୍ଷେତ୍ରରେ ବଡ଼ ଭୂମିକା ନେଇଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ତେବେ ଆସନ୍ତାକାଲି ଆଉ ଏକ ନିର୍ବାଚନମଣ୍ଡଳୀର ବିକାଶ ପାଇଁ ଟଙ୍କା ଖର୍ଚ୍ଚ କରାଯିବ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ନିର୍ବାଚନମଣ୍ଡଳୀ ଲାଗି ପ୍ରାୟ ୨ଶହ କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏଥିପାଇଁ ଲିଙ୍ଗିପୁର ପଞ୍ଚାୟତର ନାଥପୁର ଜାଡୁମଲ୍ଲୀ ମନ୍ଦିର ନିକଟରେ ଏକ ସାଧାରଣ ସଭାର ଆୟୋଜନ କରାଯାଉଛି । ପୂର୍ତ୍ତ ବିଭାଗ ପକ୍ଷରୁ ଦୟା ଦକ୍ଷିଣ ପାର୍ଶ୍ଵ ନଦୀବନ୍ଧର ସାଢେ଼ ଆଠ କିଲୋମିଟର ରାସ୍ତାର ସୁଦୃଢ଼ିକରଣ ଓ ପ୍ରଶସ୍ତିକରଣ ପାଇଁ ୨୨ କୋଟି ଟଙ୍କା ଏବଂ ଜଳସମ୍ପଦ ବିଭାଗ ପକ୍ଷରୁ ୯୧ କୋଟି ଟଙ୍କାରେ ଧଉଳି ନିକଟସ୍ଥ ଦୟା ନଦୀ ଗର୍ଭରେ ଇନ୍ ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର୍ ନିର୍ମାଣ କରାଯିବ । ଫଳରେ ଆଖ ପାଖ ଅଞ୍ଚଳରେ ଭୂତଳ ଜଳ ସ୍ତର ବୃଦ୍ଧି ପାଇବା ସହ ଚାଷ ପାଇଁ ଜଳ ସମସ୍ୟା ଦୂର ହେବ। ସେହିପରି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ୪୨ କୋଟି ଟଙ୍କାରେ ବାସୁଆ ଘାଇ, ଧଉଳି, ଲିଙ୍ଗିପୁର, ଶିଶୁପାଳ ଗଡ, ଇଟିପୁର, ଟିକରପଡ଼ା ପ୍ରଭୁତି ଛଅଟି ଗ୍ରାମପଞ୍ଚାୟତରେ ପାନୀୟ ଜଳ ଯୋଗାଣ ପାଇଁ ଦୟାନଦୀର ବାସୁଅ ଘାଇ ଠାରେ ଏକ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ ହେବ । ଇଟିପୁର ଠାରେ ଟି ପି ସି ଏଲ ପକ୍ଷରୁ ୧୭ କୋଟି ଟଙ୍କାରେ ୩୩ କେ ଭି ର ଗ୍ରିଡ ସବ୍ ଷ୍ଟେସନ ମଧ୍ୟ ନିର୍ମାଣ ହେବ ବୋଲି ସୂଚନା ରହିଛି।